Categories: ଖେଳ

ଭାରତ ଆଗରେ ୩୧୨ ରନ୍‌ର ବିଜୟ ଲକ୍ଷ୍ୟ

ପୋର୍ଟ-ଅଫ୍‌-ସ୍ପେନ,୨୪ା୭: କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ରବିବାର ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜର ପାଳି ଆରମ୍ଭ କରିଥିଲେ ବ୍ୟାଟର ଶାଇ ହୋପ ଏବଂ କାଇଲ ମେୟର୍ସ। ପ୍ରାରମ୍ଭିକ ବ୍ୟାଟର ଶାଇ ହୋପଙ୍କ ଶତକୀୟ ଇନିଂସ(୧୩୫ ବଲ୍‌ରେ ୧୧୫ ରନ୍‌, ୮ ଚୌକା ଏବଂ ୩ ଛକା) ବଳରେ ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ ହରାଇ ୩୧୧ ରନ୍‌ କରିଛି। ଫଳରେ ଭାରତ ଆଗରେ ୩୧୨ ରନ୍‌ ବିଜୟ ଟାର୍ଗେଟ ରହିଛି ୱେଷ୍ଟଇଣ୍ଡିଜ।

ୱେଷ୍ଟଇଣ୍ଡିଜ ଆରମ୍ଭରୁ ଦମ୍‌ଦାର ପ୍ରଦର୍ଶନ କରିଥିଲା। ଓପନିଂ ଯୋଡି ପ୍ରଥମ ଉଇକେଟରେ ୬୫ ରନ୍‌ କରିଥିଲେ। କାଇଲ ମେୟର୍ସ ୨୩ଟି ବଲ ଖେଳି ୩୯ ରନ୍‌ କରିଥିଲେ। ଏଥିରେ ୬ଟି ଚୌକା ଏବଂ ଗୋଟିଏ ଛକା ରହିଥିଲା। ସେହିପରି ସମର ବ୍ରୁକ ଓ ଶାଇ ହୋପଙ୍କ ଯୋଡି ମଧ୍ୟ ପ୍ରଭାବି ବ୍ୟାଟିଂ କରିଥିଲେ। ହେଲେ ସମର ୩୫ ରନ୍‌ କରି ଆଉଟ ହୋଇଯାଇଥିଲେ। ମଧ୍ୟମ କ୍ରମ ବ୍ୟାଟର ବ୍ରେଣ୍ଡନ୍‌ କିଙ୍ଗ ୫ଟି ବଲ ସାମ୍ନା କରି ଖାତା ଖୋଲିପାରି ନ ଥିଲେ। ୱେଷ୍ଟଇଣ୍ଡିଜ ୧୩୦ ରନ୍‌ ବେଳକୁ ୩ଟି ଉଇକେଟ ହରାଇଥିଲା।

ଚତୁର୍ଥ ଉଇକେଟରେ ଶାଇ ହୋପ ଏବଂ ଅଧିନାୟକ ନିକୋଲସ ପୁରନଙ୍କ ମଧ୍ୟରେ ୧୧୭ ରନ୍‌ର ଭାଗିଦାରୀ ହୋଇଥିଲା। ଅଧିନାୟକ ନିକୋଲାସ ୭୭ଟି ବଲ ଖେଳି ୭୪ ରନ୍‌ କରିଥିଲେ। ରୋଭମ୍ୟାନ ପାୱେଲ ୧୩ ରନ୍‌ କରି ଆଉଟ ହୋଇଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ଶାର୍ଦ୍ଦୂଳ ଠାକୁର ୩ଟି ଏବଂ ଦୀପକ ହୁଦା, ଅକ୍ଷର ପଟେଲ ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ।

Share