Categories: ଖେଳ

ମାଲେସିଆକୁ ହରାଇଲା ଭାରତ

କାକାମିଘାରା, ୬ା୬ (ପି.ଟି.): ଜୁନିୟର ମହିଳା ଏସିଆ କପ୍‌ ହକି ଟୁର୍ନାମେଣ୍ଟରେ ସୋମବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତ ଦୃଢ଼ ପ୍ରତ୍ୟାବର୍ତ୍ତନ ସହ ମାଲେସିଆକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ଖେଳର ୬ଷ୍ଠ ମିନିଟ୍‌ରେ ଦିଆନ ନାଜେରିଙ୍କ ଗୋଲ ଜରିଆରେ ମାଲେସିଆ ମ୍ୟାଚ୍‌ରେ ପ୍ରଥମେ ଅଗ୍ରଣୀ ଲାଭ କରିଥିଲା। ତେବେ ପରେ ମମ୍‌ତାଜ ଖାଁ(୧୦ମ ମିନିଟ) ଓ ଦୀପିକା(୨୬ତମ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ଭାରତକୁ ବିଜୟୀ କରାଇଥିଲେ। ସୋମବାରର ଏହି ବିଜୟ ଦ୍ୱାରା ଭାରତ ପୁଲ୍‌ ‘ଏ’ରେ ନମ୍ବର ଓ୍ବାନ୍‌ ସ୍ଥାନ ବଜାୟ ରଖିଛି। ଟୁର୍ନାମେଣ୍ଟରେ ଭାରତ ଏହାର ପ୍ରଥମ ମ୍ୟାଚ୍‌ରେ ଉଜ୍‌ବେକିସ୍ତାନକୁ ୨୨-୦ରେ ପରାସ୍ତ କରିଥିଲା। ଦଳ ଏହାର ପରବର୍ତ୍ତୀ ମ୍ୟାଚ୍‌ ମଙ୍ଗଳବାର କୋରିଆ ବିପକ୍ଷରେ ଖେଳିବ। ସୋମବାର ମ୍ୟାଚ୍‌ରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା। ଦୁଇଟି ପେନାଲ୍ଟି କର୍ନର ସୁଯୋଗ ପାଇଥିଲେ ହେଁ ତାହାକୁ କାର୍ଯ୍ୟକାରୀ କରିପାରି ନ ଥିଲା। ଅନ୍ୟପକ୍ଷରେ ମାଲେସିଆ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଦଳର ପାସିଂ ମଧ୍ୟ ଖୁବ୍‌ ଭଲ ରହିଥିଲା। ଦଳ ପ୍ରତିଆକ୍ରମଣ କରି ସଫଳ ରହିଥିଲା। ନାଜେରି ଏକ ସହଜ ଫିଲ୍ଡ ଗୋଲ୍‌ ଦେଇ ମାଲେସିଆକୁ ଅପ୍ରତ୍ୟାଶିତ ଭାବେ ଅଗ୍ରଣୀ କରାଇଥିଲେ। ମାଲେସିଆର ଖୁସି କିନ୍ତୁ ଅଧିକ ସମୟ ତିଷ୍ଠି ନ ଥିଲା। ୪ ମିନିଟ୍‌ ପରେ ମମ୍‌ତାଜ ଏକ ପେନାଲ୍ଟି କର୍ନର ଜରିଆରେ ଗୋଲ ସ୍କୋର କରି ମ୍ୟାଚ୍‌କୁ୧-୧ ସ୍ତରକୁ ନେଇଆସିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଆକ୍ରମଣାତ୍ମକ ଖେଳ ଜାରି ରଖି ମ୍ୟାଚ୍‌ରେ ଅଗ୍ରଣୀ ହାସଲ ଲକ୍ଷ୍ୟରେ ରହିଥିଲା। ପ୍ରଥମାର୍ଦ୍ଧ ଖେଳ ଶେଷହେବାକୁ ଆଉ ମାତ୍ର ୪ ମିନିଟ ସମୟ ବାକି ରହିଥିବା ବେଳେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ଦୀପିକା କୌଣସି ତ୍ରୁଟି ନ କରି ଏହାକୁ ଗୋଲ୍‌ରେ ପରିଣତ କରିଦେଇଥିଲେ। ତୃତୀୟ କ୍ୱାର୍ଟରରେ ଭାରତ ସମାନ ଢଙ୍ଗରେ ଖେଳି ମାଲେସିଆ ଡିଫେନ୍ସ ଉପରେ ଚାପ ସୃଷ୍ଟି କରିଥିଲା, ମାତ୍ର ଗୋଲ୍‌ ସ୍କୋର କରିପାରି ନ ଥିଲା। ଚତୁର୍ଥ କ୍ୱାର୍ଟରରେ ଭାରତ ଏହାର ରଣନୀତି ବଦଳାଇ ରକ୍ଷଣାତ୍ମକ ଖେଳି ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିଥିଲା। ଅବଶ୍ୟ ମାଲେସିଆ ଗୋଲ୍‌ ଦେବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନ ଥିଲା।

Share