Categories: ବାଣିଜ୍ୟ

ଏସିଆ ଅର୍ଥନୀତିରେ ଭାରତ ସବୁଠୁ ଶକ୍ତିଶାଳୀ

ନୂଆଦିଲ୍ଲୀ,୧୨।୮:ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତ ଏସିଆର ସବୁଠାରୁ ଶକ୍ତିଶାଳୀ ଅର୍ଥନୀତି ପାଲଟିବ। ଏପରିକି ଅର୍ଥନୈତିକ ପଲିସି ସଂସ୍କାର ବଳରେ ଘରୋଇ ଚାହିଦା ବଢ଼ାଇବା ଲାଗି ଭାରତ ଭଲ ଭାବେ ପ୍ରସ୍ତୁତ କରୁଛି ବୋଲି ମୋର୍ଗାନ ଷ୍ଟାନ୍‌ଲେ ତା’ର ବାର୍ଷିକ ରିପୋର୍ଟରେ ପ୍ରକାଶ କରିଛି। ଯୁବ କାର୍ଯ୍ୟବଳ ଏବଂ ନିବେଶ ଭାରତୀୟ ଅର୍ଥନୀତି ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ସଂସ୍ଥା ଉକ୍ତ ରିର୍ପୋଟରେ ଉଲ୍ଲେଖ କରିଛି। ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ହାରାହାରି ଅଭିବୃଦ୍ଧି ୭% ରହିବ। ଏସିଆ ଏବଂ ବିଶ୍ୱ ଅଭିବୃଦ୍ଧିକୁ ଏହା ଯଥାକ୍ରମେ ୨୮% ଏବଂ ୨୨% ଯୋଗଦାନ ଦେବ ବୋଲି ମୋର୍ଗାନ ଷ୍ଟାନ୍‌ଲେର ବରିଷ୍ଠ ଅର୍ଥନୀତିଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକବର୍ଷରେ ଏସିଆର ତୃତୀୟ ବୃହତ୍‌ ଅର୍ଥନୀତି ଭାବେ ଭାରତ ୯.୨% ବଢ଼ିଥିଲା। ହେଲେ କୋଭିଡ୍‌-୧୯ ଯୋଗୁ ଅର୍ଥନୀତିରୁ ଦେଶ ମୁକୁଳିଥିଲା। ଫଳରେ ମହାମାରୀ ପ୍ରଭାବରେ ୨୦୨୦-୨୧ରେ ଭାରତୀୟ ଅର୍ଥବ୍ୟବସ୍ଥା ୬.୬% ସଙ୍କୁୁଚିତ ହୋଇଥିଲା। ତେବେ ଅର୍ଥନୀତି ଏବେ ଠିକ୍‌ ଦିଗରେ ରହିଛି। ଦେଶର ନୀତିଗତ ସଂସ୍କାର ପ୍ରଗତିଶୀଳ ରହିଛି। ଏଭଳି ସ୍ଥିତିରେ ଚଳିତ ଆର୍ଥିକ ବର୍ଷ ଭାରତୀୟ ଅର୍ଥନୀତି ଏସିଆର ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ହେବ ବୋଲି ମୋର୍ଗାନ ଷ୍ଟାନ୍‌ଲେ ପ୍ରକାଶ କରିଛି। ସେହିପରି ୨୦୨୨-୨୩ରେ ଭାରତୀୟ ଅର୍ଥନୀତି ୮ରୁ ୮.୫% ବଢ଼ିବ ବୋଲି ଦେଶ ପୂର୍ବାନୁମାନ କରିଛି। ଅପରପକ୍ଷରେ ନିମ୍ନ କମ୍ପାନୀ ଟିକସ, ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ସ୍କିମ୍‌ (ପିଏଲ୍‌ଆଇ), ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ବିବିଧତା ଘରୋଇ ଚାହିଦା ବଜାୟ ରଖିବ ବୋଲି ମୋର୍ଗାନ ଷ୍ଟାନ୍‌ଲେର ଅର୍ଥନୀତିଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସମ୍ପ୍ରତି ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକରେ ପ୍ରତିକୂଳ ପରିସ୍ଥିତି ସାଙ୍ଗକୁ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ରହିଛି। ଏଭଳି ପରିସ୍ଥିତିରେ ମୋର୍ଗାନ ଷ୍ଟାନ୍‌ଲେ ଭାରତ ପାଇଁ ଏକ ଭଲ ଖବର ଆକଳନ କରିଛି।

Share