Categories: ବାଣିଜ୍ୟ

ଆଇଏମ୍‌ଓ କାଉନ୍‌ସିଲକୁ ଭାରତ ପୁନଃନିର୍ବାଚିତ

ଲଣ୍ଡନ,୧୨|୧୨: ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (ଆଇଏମ୍‌ଓ)ର ୨୦୨୨-୨୩ ଦ୍ୱିବାର୍ଷିକ କାଉନ୍‌ସିଲକୁ ଭାରତ ସଦସ୍ୟ ଭାବେ ପୁନଃନିର୍ବାଚିତ ହୋଇଛି। ଆଇଏମ୍‌ଓ ମୁଖ୍ୟାଳୟ ଲଣ୍ଡନଠାରେ ଗତ ୬ ତାରିଖରୁ ୧୫ ତାରିଖ ଯାଏ ଏହାର ୩୨ତମ ଆସେମ୍ଭ୍ଲି ଜାରି ରହିଛି। ଏହି ଅବସରରେ ଆଇଏମ୍‌ଓର କାର୍ଯ୍ୟନିର୍ବାହୀ ସଂସ୍ଥା ‘କାଉନସିଲ’ ପାଇଁ ୪୦ ଜଣିଆ ସଦସ୍ୟ ଚୟନ ନିମନ୍ତେ ନିର୍ବାଚନ ହୋଇଥିଲା। ଏଥିରେ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ପ୍ରତି ସର୍ବାଧିକ ଆଗ୍ରହ ରଖୁଥିବା ୧୦ ଦେଶ ବିଶିଷ୍ଟ କାଟାଗୋରୀ(ବି)କୁ ଭାରତ ନିର୍ବାଚିତ ହୋଇଛି। ଅନ୍ୟ ୯ ଦେଶ ହେଲା ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ସ୍ବିଡେନ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ୍ସ, ସ୍ପେନ ଏବଂ ୟୁଏଇ। ଆସନ୍ତା ବୁଧବାର କାଉନସିଲର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିର୍ବାଚିତ ହେବେ। ଲଣ୍ଡନରେ ଅବସ୍ଥାପିତ ଭାରତର ହାଇ କମିଶନର ଶୁକ୍ରବାର ଟୁଇଟ୍‌ ଯୋଗେ ଭାରତର ପୁନଃନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି ଅନ୍ତର୍ଜାତୀୟ ପରିବହନ ସେବା ଯୋଗାଇବାରେ ସର୍ବାଧିକ ଆଗ୍ରହ ଦେଖାଉଥିବା ୧୦ ଦେଶ ବିଶିଷ୍ଟ କାଟାଗୋରୀ(ଏ)କୁ ଚାଇନା, ଗ୍ରୀସ୍‌, ଇଟାଲି, ଜାପାନ, ନରଓ୍ବେ, ପାନାମା, ରିପବ୍ଲିକ ଅଫ୍‌ କୋରିଆ, ରୁଷିଆନ ଫେଡେରେଶନ, ବ୍ରିଟେନ ଏବଂ ଆମେରିକା ନିର୍ବାଚିତ ହୋଇଛି। ଅନ୍ୟପକ୍ଷରେ ସାମୁଦ୍ରିକ ପରିବହନ କିମ୍ବା ଜାହାଜ ଚଳାଚଳ ପରିଚାଳନା କ୍ଷେତ୍ରରେ ବିଶେଷ ଆଗ୍ରହ ରଖୁଥିବା ଏବଂ କାଉନ୍‌ସିଲରେ ସମସ୍ତ ଭୌଗୋଳିକ କ୍ଷେତ୍ରର ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେଇ ୨୦ଟି ଦେଶକୁ ନିର୍ବାଚିତ କରାଯାଇଛି। ସେହି ଦେଶଗୁଡ଼ିକ ହେଲା ବାହାମାସ, ବେଲଜିୟମ, ଚିଲି, ସାଇପ୍ରସ୍‌, ଡେନମାର୍କ, ଇଜିପ୍ଟ, ଇଣ୍ଡୋନେସିଆ, ଜାମାଇକା, କେନିଆ, ମାଲେସିଆ, ମାଲ୍ଟା, ମେକ୍ସିକୋ, ମରକ୍କୋ, ଫିଲିପାଇନ୍ସ, କାତାର, ସାଉଦି ଆରବ, ସିଙ୍ଗାପୁର, ଥାଇଲାଣ୍ଡ, ତୁର୍କୀ ଏବଂ ଭାନୁଆଟୁ।
ସୂଚନାଥାଉ କି, ଆଇଏମ୍‌ଓର ୧୭୫ଟି ସଦସ୍ୟ ରାଷ୍ଟ୍ର ଏବଂ ୩ ସହଯୋଗୀ ସଦସ୍ୟ ରାଷ୍ଟ୍ର ରହିଛନ୍ତି। ସାଧାରଣତଃ ପ୍ରତି ୨ ବର୍ଷରେ ଥରେ ଆଇଏମ୍‌ଓର ଆସେମ୍ଭ୍ଲି ସାଧାରଣ ଅଧିବେଶନ ଭାବେ ଅନୁଷ୍ଠିତ ହୁଏ। ନିର୍ବାଚତ କାଉନସିଲ ଆଇଏମ୍‌ଓ କାର୍ଯ୍ୟର ତଦାରଖ ପାଇଁ ଉତ୍ତରଦାୟୀ। ଏହାସହ ସରକାରଗୁଡ଼ିକୁ ସାମୁଦ୍ରିକ ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବିଭିନ୍ନ ସୁପାରିସ କରିଥାଏ।

Share