Categories: Home Leftଖେଳ

ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ସହ ଧୋକା! ଦେଶକୁ ଫେରି କହିଲେ- ମୋଠାରୁ ଛଡ଼ାଇ ନିଆଗଲା…

ନୂଆଦିଲ୍ଲୀ,୨୫।୯: ୨୦୨୬ ଏସିଆନ ଗେମ୍ସରେ ଭାରତୀୟ ମିକ୍ସଡ ମାର୍ଶାଲ ଆଟର୍‌ସ (MMA) ଖେଳାଳି ସୁଚିକା ତାରିୟାଲ ଇତିହାସ ରଚିଛନ୍ତି। ମହିଳା ଟ୍ରାଡିସନାଲ ୬୦ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତି ସେ ଏସିଆନ ଗେମ୍ସରେ ଭାରତ ପାଇଁ MMAର ପ୍ରଥମ ପଦକ ଜିତିଛନ୍ତି। ତେବେ ସେମିଫାଇନାଲର ଫଳାଫଳକୁ ନେଇ ସୁଚିକା ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ମତରେ, ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ଓଜନ-ଭିତ୍ତିକ ଟାଇବ୍ରେକର ନିୟମ ଯୋଗୁ ତାଙ୍କର ଫାଇନାଲ ଖେଳିବାର ସୁଯୋଗ ହାତଛଡ଼ା ହୋଇଛି।

ସେମିଫାଇନାଲରେ ସୁଚିକାଙ୍କ ମୁକାବିଲା ସିଙ୍ଗାପୁରର ହୁଇ ହୁନ ଟିଓଙ୍କ ସହ ହୋଇଥିଲା। ମୁକାବିଲା ଅତ୍ୟନ୍ତ କଡ଼ା ଥିଲା ଏବଂ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଦୁଇ ଖେଳାଳିଙ୍କ ମଧ୍ୟରେ ସ୍ପଷ୍ଟ ଫରକ ଦେଖାଯାଇନଥିଲା। ଅତିରିକ୍ତ ରାଉଣ୍ଡ ପରେ ପ୍ରଥମେ ଟିଓଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଏହାକୁ ଭାରତୀୟ ଦଳ ଚ୍ୟାଲେଞ୍ଜ କରିଥିଲା।

ଭାରତୀୟ ଦଳ ୧,୦୦୦ ଡଲାର ଆର୍ବିଟ୍ରେସନ ଫି ଦେଇ ଫଳାଫଳକୁ ଚ୍ୟାଲେଞ୍ଜ କରିଥିଲା। ପୁନଃ ସମୀକ୍ଷା ପରେ ଅତିରିକ୍ତ ଜଜ୍‌ମାନେ ମୁକାବିଲାକୁ ଡ୍ର’ ବୋଲି ଦେଖିଥିଲେ। ଏହାପରେ ଟାଇବ୍ରେକର ନିୟମ ଅନୁଯାୟୀ ବିଜେତା ନିର୍ଣ୍ଣୟ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ସକାଳର ଓଜନ ମାପରେ ସୁଚିକାଙ୍କ ଓଜନ ପ୍ରାୟ ୫୯.୨ କେଜି ଥିବାବେଳେ ଟିଓଙ୍କ ଓଜନ ପ୍ରାୟ ୫୮.୫ କେଜି ଥିଲା। ଅର୍ଥାତ୍‌ ଟିଓ ସୁଚିକାଙ୍କଠାରୁ ପ୍ରାୟ ୭୦୦ ଗ୍ରାମ ହାଲୁକା ଥିଲେ। ମୁକାବିଲା ଡ୍ର’ ହେବା ପରେ ଲାଗୁ ହୋଇଥିବା ଟାଇବ୍ରେକର ନିୟମରେ ଏହି ଓଜନ ଫରକ ଟିଓଙ୍କ ସପକ୍ଷରେ ଯାଇଥିଲା ଏବଂ ସେ ଫାଇନାଲରେ ପ୍ରବେଶ କରିଥିଲେ।

ଏହି ନିଷ୍ପତ୍ତିକୁ ନେଇ ସୁଚିକା ନିରାଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଯଦି ଆଉ ଏକ ରାଉଣ୍ଡ ଖେଳି ହାରିଥାନ୍ତେ, ତେବେ ସେ ପରାଜୟକୁ ଗ୍ରହଣ କରିଥାନ୍ତେ। କିନ୍ତୁ ଓଜନ ଆଧାରରେ ଫଳାଫଳ ନିର୍ଣ୍ଣୟ ହେବାକୁ ସେ ଗ୍ରହଣ କରିପାରୁନାହାନ୍ତି। ରିପୋର୍ଟ ଅନୁଯାୟୀ, ସୁଚିକା ବ୍ୟକ୍ତିଗତ ଭାବେ ଏହି ନିୟମକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

 

Dharitri – Odisha’s No.1 Odia Daily

Share