Categories: ଖେଳ

ଇଂଲଣ୍ଡର ପ୍ରାକ୍ତନ କ୍ରିକେଟର କହିଲେ ‘ଅନ୍ତିମ ମ୍ୟାଚ୍‌ରେ ଭାରତକୁ ରୋକିବା କଷ୍ଟକର’

ନୂଆଦିଲ୍ଲୀ,୨।୩ : କ୍ରମାଗତ ଦୁଇଟି ବିଜୟ ଯୋଗୁ ଭାରତୀୟ ଦଳର ଆତ୍ମବିଶ୍ୱାସ ଢ଼େର ବଢ଼ିଛି। ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌କୁ ଜିତିବା ଲକ୍ଷ୍ୟରେ ରହିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ। ସମାନ ଭେନ୍ୟୁରେ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଖେଳାଯାଇଥିଲା। ମାତ୍ର ଦୁଇ ଦିନରେ ଶେଷ ହୋଇଥିବା ଏହି ମ୍ୟାଚ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବଲ(୮୪୨) ହିସାବରେ ଥିଲା ସବୁଠୁ ଛୋଟିଆ ଟେଷ୍ଟ ମ୍ୟାଚ୍‌। ଭାରତ ୧୦ ଉଇକେଟରେ ମ୍ୟାଚ୍‌ ଜିତି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି।

ଆଲେଷ୍ଟର କୁକଙ୍କ ନେତୃତ୍ୱରେ ୨୦୧୨-୧୩ ଭାରତ ଗସ୍ତରେ ଆସି ଟେଷ୍ଟ ସିରିଜ୍‌ ଜିତିଥିବା ଇଂଲଣ୍ଡ ଦଳର ସଦସ୍ୟ ନିକ କମ୍ପଟନ ଏକ ସାକ୍ଷାତ୍‌କାରରେ କହିଛନ୍ତି, ”ଲଡର୍‌ସଠାରେ ଖେଳାଯିବାକୁ ଥିବା ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ। ଟିମ୍‌ ଇଣ୍ଡିଆ ଭାରତରେ ହିଁ ଖେଳୁଛି। ଅନ୍ତିମ ଦୁଇ ମ୍ୟାଚ୍‌ ଜିତିଥିବାରୁ ଦଳୀୟ ଖେଳାଳିଙ୍କ ଆତ୍ମବିଶ୍ୱାସ ଖୁବ୍‌ ଉପରେ ରହିଛି। ଏଭଳି ସ୍ଥିତିରେ ଭାରତକୁ ରୋକିବା ସହଜ ନୁହେଁ। ଯଦି ଭାରତ ଅନ୍ୟ ଦେଶରେ ଖେଳୁଥାନ୍ତା, ତେବେ କଥା ଭିନ୍ନ ଥିଲା। ଅନ୍ତିମ ଟେଷ୍ଟରେ ଭାରତ ହିଁ ଫେଭରାଇଟ୍‌। “

Share