Categories: ଖେଳ

ଟିମ୍‌ ଇଣ୍ଡିଆ ହାତରୁ ଗଲା ନଂ ୧ ମାନ୍ୟତା

ଦୁବାଇ,୨୦।୧: ଭାରତକୁ ପଛରେ ପକାଇ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ନଂ ୧ ମାନ୍ୟତା ହାସଲ କରିଛି ଅଷ୍ଟ୍ରେଲିଆ। ଆଶେସ ସିରିଜ୍‌ରେ ଇଂଲଣ୍ଡକୁ ୪-୦ ରେ ହରାଇବା ପରେ ଅଷ୍ଟ୍ରେଲିଆ ଏହି ସଫଳତା ପାଇଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଠାରୁ ମିଳିଥିବା ୨-୧ର ପରାଜୟ ଯୋଗୁ ଟେଷ୍ଟ ଦଳଗତ ର଼୍ୟାଙ୍କିଙ୍ଗ୍‌ରେ ତୃତୀୟ ସ୍ଥାନକୁ ଖସିଛି ଟିମ୍‌ ଇଣ୍ଡିଆ। ସିରିଜ୍‌ର ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ ପରାଜୟ ଯୋଗୁ ଭାରତ ହାତରୁ ନଂ ୧ ମାନ୍ୟତା ଖସି ଯାଇଛି। ଉଦ୍‌ଘାଟନୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଚାମ୍ପିୟନ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି।

ବର୍ତ୍ତମାନ ଅଷ୍ଟ୍ରେଲିଆ ୧୧୯ ପଏଣ୍ଟ ସହ ଶୀର୍ଷରେ ରହିଛି। ତୃତୀୟ ସ୍ଥାନରେ ଥିବା ଭାରତ ପାଖରେ ଏବେ ୧୧୬ ପଏଣ୍ଟ ଅଛି। ୨୦୨୧ ବର୍ଷରେ ଭାରତ ମୋଟ ୧୪ ଟେଷ୍ଟ ଖେଳି ୮ଟି ଜିତିଥିବା ବେଳେ ୩ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିରେ ସାମିଲ ଥିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ମିଳିଥିବା ହୃଦୟ ବିଦାରକ ପରାଜୟ।

ଭାରତ ପଛକୁ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ୫ମ ସ୍ଥାନକୁ ଉଠିଛି। ପାକିସ୍ତାନ ପୂର୍ବ ଅପେକ୍ଷା ଗୋଟିଏ ସ୍ଥାନକୁ ତଳକୁ ଖସି ୬ଷ୍ଠ ସ୍ଥାନରେ ପହଞ୍ଚିଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା, ଓ୍ବେଷ୍ଟଇଣ୍ଡିଜ, ବାଂଲାଦେଶ, ଜିମ୍ବାଓ୍ବେ, ଆଫଗାନିସ୍ତାନ ଓ ଆୟର୍ଲାଣ୍ଡ ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି।

Share