Categories: ଖେଳ

ଭାରତୀୟ କ୍ରିକେଟର ଅଭୁଲା ଦିନ

ନୂଆଦିଲ୍ଲୀ,୧୪।୯: ଆଜିକୁ ଠିକ୍‌ ୧୪ ବର୍ଷ ତଳେ ଅର୍ଥାତ ୨୦୦୭, ସେପ୍ଟେମ୍ବର ୧୪ ତାରିଖରେ ଭାରତୀୟ ଦଳ ଟି୨୦ ଫର୍ମାଟରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ହରାଇଥିଲା। ମ୍ୟାଚ୍‌ର ପରିଣାମ ବାହାରିଥିଲା ବୋଲ ଆଉଟ୍‌ ଜରିଆରେ। କ୍ରିକେଟ ଇତିହାସର ଏହା ଏକମାତ୍ର ଅନ୍ତର୍ଜାତୀୟ ମ୍ୟାଚ୍‌, ଯେଉଁଥିରେ ବୋଲ ଆଉଟ୍‌ ଦ୍ୱାରା ପରିଣାମ ବାହାରିଥିଲା।

ଟି୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା। ଡର୍ବାନଠାରେ କ୍ରିକେଟର ସବୁଠୁ ଛୋଟିଆ ଫର୍ମାଟରେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପଡ଼ୋଶୀ। ମ୍ୟାଚ୍‌ଟି ଡ୍ର’ ହୋଇଯିବାରୁ ଫଳାଫଳ ପାଇଁ ବୋଲ ଆଉଟ୍‌ର ସହାୟତା ନିଆଯାଇଥିଲା। ସେତେବେଳେ ସୁପର ଓଭରର କନସେପ୍ଟ ଆସି ନ ଥିଲା। ବୋଲ ଆଉଟ୍‌ରେ ଭାରତ ୩-୦ରେ ପାକିସ୍ତାନକୁ ହରାଇ ଦେଇଥିଲେ। ଟିମ୍‌ ଇଣ୍ଡିଆ ପକ୍ଷରୁ ହରଭଜନ ସିଂ, ବୀରେନ୍ଦ୍ର ସେହ୍ବାଗ ଓ ରବିନ ଉଥପ୍ପା ଷ୍ଟମ୍ପକୁ ହିଟ୍‌ କରିଥିଲେ। କିନ୍ତୁ ପାକିସ୍ତାନ ପାଇଁ ଶାହିଦ ଆଫ୍ରିଦୀ, ଉମର ଗୁଲ ଓ ୟାଶିର ଆରାଫତଙ୍କ ମଧ୍ୟରୁ କେହି ସଫଳ ହୋଇ ନ ଥିଲେ।

୨୦ ଓଭର ସୁଦ୍ଧା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଭାରତ ୯ ଉଇକେଟ ହରାଇ ୧୪୧ ରନ୍‌ କରିଥିଲା। ଟିମ୍‌ ଇଣ୍ଡିଆ ପକ୍ଷରୁ ଉଥପ୍ପା ୫୦ ଓ ଧୋନୀ ୩୩ ରନ୍‌ କରିଥିଲେ। ପାକିସ୍ତାନ ପେସର ମହମ୍ମଦ ଆସିଫ ହାତେଇଥିଲେ ୪ ଉଇକେଟ। ଜବାବରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଏକଦା ୮୭ ରନ୍‌ ମଧ୍ୟରେ ୫ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ମିଶବା ଉଲ ହକ୍‌ ଖେଳିଥିଲେ ବିସ୍ଫୋରକ ୫୩ ରନ୍‌ର ଅର୍ଦ୍ଧଶତକୀୟ ପାଳି। ଅନ୍ତିମ ୩ ବଲରେ ପାକିସ୍ତାନକୁ ଜିତିବା ପାଇଁ ୧ ରନ୍‌ ଦରକାର ଥାଏ। ତଥାପି ଜିତିପାରି ନ ଥିଲା ପାକିସ୍ତାନ। ଅନ୍ତିମ ବଲରେ ମିଶବା ରନ୍‌ ଆଉଟ୍‌ ହେବାରୁ ମ୍ୟାଚ୍‌ ଟାଇ ହୋଇଯାଇଥିଲା।

Share