Posted inଜାତୀୟ

ଭାରତ-କାନାଡା ତିକ୍ତତା ବଢ଼ିଲା

ନୂଆଦିଲ୍ଲୀ,୨୦ା୯(ପି.ଟି.): ପଞ୍ଜାବରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ରାଷ୍ଟ୍ର ଗଠନ ପାଇଁ ଖଲିସ୍ତାନୀମାନେ ଦାବିକରି ଆସୁଛନ୍ତି। ସେମାନଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଅସ୍ତ୍ରଶସ୍ତ୍ର ଯୋଗାଇ ଭାରତରେ ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ଉସୁକାଉଛି। ଭାରତ ପରେ ସର୍ବାଧିକ ପଞ୍ଜାବୀ ବସବାସ କରୁଥିବା ଦେଶ ହେଉଛି କାନାଡା। ସେଠାରେ ଖଲିସ୍ଥାନୀମାନେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅନେକ ଦୃଷ୍ଟାନ୍ତ ରହିଛି, ଯାହାକୁ ଭାରତ ବିରୋଧ କରିଆସୁଛି। ସେପ୍ଟେମ୍ବର ୯, ୧୦ରେ ଅନୁଷ୍ଠିତ ଜି୨୦ ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡା ପ୍ରତିପକ୍ଷ ଜଷ୍ଟିନ୍‌ ଟ୍ରୁଡୋଙ୍କ ଆଗରେ ଏହି ପ୍ରସଙ୍ଗ ଉଠାଇଥିଲେ। ଟ୍ରୁଡୋ କାନାଡା ଫେରିବାର ସପ୍ତାହେ ପରେ ତାଙ୍କର ଭାରତ ବିରୋଧୀ ଆଭିମୁଖ୍ୟ ପ୍ରତ୍ୟକ୍ଷ ଭାବେ ଦେଖିବାକୁ ମିଳିଛି। ଖଲିସ୍ତାନୀ ନେତା ହରଦୀପ୍‌ ସିଂ ନିଜାର ହତ୍ୟା ଘଟଣାରେ ଭାରତର ସମ୍ଭାବ୍ୟ ସମ୍ପୃକ୍ତି ଥିବା ଅଭିଯୋଗକରି କାନାଡା ସରକାର ସେଠାରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କୁ ମଙ୍ଗଳବାର ବହିଷ୍କାର କରିଛି। ଭାରତ ମଧ୍ୟ ଯେସାକୁ ତେସା ନୀତି ଆପଣାଇ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ ୫ ଦିନ ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ କହିଛି। ଖଲିସ୍ତାନୀ ନେତାଙ୍କ ହତ୍ୟା ସହ ଭାରତ ସରକାରଙ୍କ ଏଜେଣ୍ଟ ସମ୍ପୃକ୍ତ ଥିବା ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଅଭିଯୋଗକୁ ନୂଆଦିଲ୍ଲୀ ଭିତ୍ତିହୀନ କହି ଖଣ୍ଡନ କରିଛି। ଟ୍ରୁଡୋ ପାର୍ଲାମେଣ୍ଟରେ ଉପରୋକ୍ତ ମନ୍ତବ୍ୟ ଦେବା ପରେ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ଅଫିସର ପବନ କୁମାର ରାୟଙ୍କୁ ବହିଷ୍କାର କରାଯାଇଥିବା ତାଙ୍କ ବହିର୍ବ୍ୟାପାର ମନ୍ତ୍ରୀ ମେଲାନି ଜେଲି ଘୋଷଣା କରିଥିଲେ। ଏହାର କିଛି ଘଣ୍ଟା ପରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ଥିବା କାନାଡା ଉଚ୍ଚାୟୁକ୍ତ କାମେରନ ମାକେଙ୍କୁ ସମନ କରି ଜଣେ ବରିଷ୍ଠ କୂଟନୈତିକ ଅଧିକାରୀଙ୍କୁ ବହିଷ୍କାର କରାଗଲା ବୋଲି ଜଣାଇଦେଇଛି। ବହିଷ୍କୃତ ଅଫିସରଙ୍କ ନାଁ ମନ୍ତ୍ରଣାଳୟ ସ୍ପଷ୍ଟ କରି ନ ଥିବାବେଳେ ନୂଆଦିଲ୍ଲୀରେ ଥିବା କାନାଡା ଗୋଇନ୍ଦା ସଂସ୍ଥାର ଷ୍ଟେଶନ ମୁଖ୍ୟ ଓଲିଭିଏର ସିଲ୍‌ଭେସ୍ତେରେଙ୍କୁ ବହିଷ୍କାର କରାଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି।
ଭାରତର ଆଭ୍ୟନ୍ତରୀଣ ମାମଲାରେ କାନାଡା କୂଟନୀତିଜ୍ଞ ମୁଣ୍ଡ ପୂରାଇବା ସହ ଭାରତ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ନୂଆଦିଲ୍ଲୀର ଚିନ୍ତା ବଢ଼ୁଥିବା ଏଥିରୁ ପ୍ରତିଫଳିତ ହୋଇଛି। ଫଳରେ ଦୁଇଦେଶର କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଟ୍ରୁଡୋ ଏବଂ ଜେଲିଙ୍କ ମନ୍ତବ୍ୟ ଉପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏଭଳି ଭିତ୍ତିହୀନ ଅଭିଯୋଗ ଆଣି କାନାଡାରେ ଆଶ୍ରୟ ନେଇ ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ସଂହତି ପ୍ରତି ବିପଦ ସୃଷ୍ଟି କରୁଥିବା ଖଲିସ୍ତାନୀ ଆତଙ୍କବାଦୀ ଏବଂ ଉଗ୍ରପନ୍ଥୀଙ୍କ ଉପରୁ ଧ୍ୟାନ ହଟାଇବାକୁ ସେମାନେ ଉଦ୍ୟମ କରୁଥିବା ନୂଆଦିଲ୍ଲୀ କହିଛି। ଏଠାରେ ଉଲ୍ଲେଖଯୋଗ୍ୟ, କାନାଡା ନାଗରିକ ନିଜାରଙ୍କୁ ଜୁନ୍‌ ୧୮ରେ ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରା ବାହାରେ ଦୁଇଜଣ ଅଜଣା ବ୍ୟକ୍ତି ଗୁଳିକରି ହତ୍ୟା କରିଥିଲେ। କାନାଡାରେ କୌଣସି ପ୍ରକାର ହିଂସାରେ ଭାରତ ସରକାରଙ୍କ ସମ୍ପୃକ୍ତି ଅଭିଯୋଗ ସମ୍ପୂର୍ଣ୍ଣ ହାସ୍ୟାସ୍ପଦ ଓ ଅନୁପ୍ରେରିତ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି।
ସୂଚନାଯୋଗ୍ୟ, ଜି୨୦ ସମ୍ମିଳନୀରେ ଯୋଗଦେବାକୁ ନୂଆଦିଲ୍ଲୀ ଆସିଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିସ୍‌ ଟ୍ରୁଡୋଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟ ବଢ଼ିବା ସହ ଭାରତୀୟ କୂଟନୈତିକ ମିଶନ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରୁଥିବା ପ୍ରସଙ୍ଗ ଉଠାଇ ଏହାର ନିନ୍ଦା କରିଥିଲେ। ଟ୍ରୁଡୋ ଫେରିବା ପରେ ଅକ୍ଟୋବରରେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଆଲୋଚନାକୁ ସ୍ଥଗିତ ରଖିଥିଲେ। ଚଳିତ ବର୍ଷ ପ୍ରାରମ୍ଭିକ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପୂର୍ବରୁ ଦୁଇ ଦେଶ କହିଥିଲେ। ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟକୁ ନେଇ ହେବାକୁ ଥିବା ବୁଝାମଣାକୁ ରୋକିଦିଆଯାଇଥିବାରୁ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଖରାପ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri