ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ୱେଲ୍ସକୁ ୩-୧ ଗୋଲ୍ରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି।
ମ୍ୟାଚ୍ର ପ୍ରଥମ କ୍ୱାର୍ଟରରେ ଭାରତ ୨ଟି ଗୋଲ କରି ଦମ୍ଦାର ଆରମ୍ଭ କରିଥିଲା। ସଞ୍ଜୟ ରାଣା ଏବଂ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କନର୍ର୍ରରୁ ଗୋଲ କରିଥିଲେ। ତୃତୀୟ କ୍ୱାର୍ଟରରେ ହରମନପ୍ରୀତ ନିଜର ଦ୍ୱିତୀୟ ଗୋଲ କରି ଭାରତର ଅଗ୍ରଣୀକୁ ୩-୦ କରି ନେଇଥିଲେ।
ଚତୁର୍ଥ କ୍ୱାର୍ଟରର ୫୫ତମ ମିନିଟ୍ରେ ୱେଲ୍ସ ପକ୍ଷରୁ ସାମ ୱେଲ୍ସ ଗୋଟିଏ ଗୋଲ କରିଥିଲେ। ହେଲେ ଶେଷ ପର୍ଯ୍ୟନ୍ତ ଭାରତ ଅଗ୍ରଣୀ ବଜାୟ ରଖି ୩-୧ରେ ବିଜୟ ହୋଇଥିଲା। ମ୍ୟାଚ୍ରେ ଭାରତ ନୂଆ ଗେରୁଆ ରଙ୍ଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲା। ଜର୍ସିକୁ ନେଇ ଚର୍ଚ୍ଚା ଓ ବିବାଦ ଦେଖାଦେଇଥିଲେ ମଧ୍ୟ ବିଶ୍ୱକପ୍ରେ ଏହା ପ୍ରଥମଥର ପାଇଁ ଖେଳାଳି ପରିଧାନ କରିଥିଲେ।
ପୁଲ-ଡିରେ ଭାରତର ପରବର୍ତ୍ତୀ ମୁକାବିଲା ଇଂଲଣ୍ଡ ବିପକ୍ଷରେ ଅଗଷ୍ଟ ୧୭ ତାରିଖରେ ହେବ। ଅଗଷ୍ଟ ୧୯ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ଭାରତ। ନକଆଉଟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିବା ପାଇଁ ଏହି ଦୁଇଟି ମ୍ୟାଚ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି।