ଭଦୋଦରା,୧୧।୧: ବିରାଟ କୋହଲିଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୩୦୧ ରନ୍ର ଟାର୍ଗେଟକୁ ଭାରତ ୪୯ ଓଭରରେ ୬ ଉଇକେଟ ହରାଇ ହାସଲ କରି ନେଇଛି। ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି। ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୧୪ ତାରିଖରେ ରାଜକୋଟରେ ଖେଳାଯିବ। ଏହି ମ୍ୟାଚ୍ ଜରିଆରେ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୨୮ ହଜାର ରନ ପୂରଣ କରିବା ସହ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ଏ କ୍ଷେତ୍ରରେ ସେ ଶ୍ରୀଲଙ୍କାର କୁମାର ସାଙ୍ଗାକାରା(୨୮,୦୧୬)ଙ୍କୁ ଅତିକ୍ରମ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ ସଚିନ ତେନ୍ଦୁଲକର (୩୪,୩୫୭)ଙ୍କ ନାମରେ ରହିଛି।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୦୦ ରନ କରିଥିଲା। ଜବାବରେ ଭାରତକୁ ରୋହିତ ଶର୍ମା ଓ ଅଧିନାୟକ ଶୁବମନ ଗିଲ ପ୍ରଥମ ଉଇକେଟରେ ୩୯ ରନ କରିଥିଲେ। ଆଟାକିଂ ବ୍ୟାଟିଂ କରୁଥିବା ରୋହିତ (୨୬ ରନ, ୩ ଚୌକା ଓ ୨ ଛକା) ମିସ୍ ଟାଇମିଂ କାରଣରୁ ଲଙ୍ଗ ଅପ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ଅଧିନାୟକ ଗିଲ ଓ କୋହଲି ଦ୍ୱିତୀୟ ଉଇକେଟରେ ୧୧୮ ରନ ଯୋଡ଼ିଥିଲେ। ଅର୍ଦ୍ଧଶତକ ପୂରଣ କରିବା ପରେ ଗିଲ (୫୬ ରନ୍, ୩ ଚୌକା ଓ ୨ ଛକା) ଭାରତୀୟ ବଂଶୋଦ୍ଭବ ଖେଳାଳି ଆଦିତ୍ୟ ଅଶୋକଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ କୋହଲି ଓ ଶ୍ରେୟସ ଆୟାର ଚତୁର୍ଥ ଉଇକେଟରେ ୭୭ ରନ ଯୋଡ଼ି ଦଳକୁ ଆଗେଇ ନେଇଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା କୋହଲି ୯୧ ବଲରେ ୯୩ (୮ ଚୌକା ଓ ୧ ଛକା) ରନ କରି କାଇଲ ଜେମିସନଙ୍କ ବଲରେ ଆଉଟ୍ ହୋଇଥିଲେ। ଏହାପରେ ଦଳ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଏଭଳି ପରିସ୍ଥିତିରେ ଉପର କ୍ରମରେ ବ୍ୟାଟିଂ ଆସିଥିବା ହର୍ଶିତ ରାଣା ଆଟାକିଂ ୨୯ (୨ ଚୌକା ଓ ୧ ଛକା) ରନ୍ କରିଥିଲେ। ଶେଷ ଆଡ଼କୁ ଲୋକେଶ ରାହୁଲ (୨୯) ଓ ଓ୍ବାଶିଂଟନ ସୁନ୍ଦର (୭) ଦଳ ଆବଶ୍ୟକୀୟ ରନ ସଂଗ୍ରହ କରି ଦଳକୁ ଜିତାଇଥିଲେ।


