Categories: ଖେଳ

ଭାରତ-ଆଫଗାନିସ୍ତାନ ଫାଇନାଲ

ହାଙ୍ଗ୍‌ଝୋ, ୭ା୧୦ (ପି.ଟି.): ବାଂଲାଦେଶକୁ ୯ ଉଇକେଟରେ ହରାଇ ଭାରତ ଏସିଆନ ଗେମ୍ସ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ଶନିବାର ଖେଳାଯିବାକୁଥିବା ସ୍ବର୍ଣ୍ଣ ପଦକ ମୁକାବିଲାରେ ଦଳ ଆଫଗାନିସ୍ତାନକୁ ଭେଟିବ। ଆଫଗାନିସ୍ତାନ ଅନ୍ୟ ସେମିଫାଇନାଲରେ ୪ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଟାଇଟଲ ଫେଭରାଇଟ୍‌ ଭାରତର ଅଧିନାୟକ ଋତୁରାଜ ଗାଏକ୍ୱାଡ୍‌ ଟସ୍‌ ଜିତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଭାରତୀୟ ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ବାଂଲାଦେଶକୁ ୯୬/୯ ସ୍କୋରରେ ସୀମିତ କରିଦେଇଥିଲେ। ସହଜ ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୯.୨ ଓଭରରେ ହାସଲ କରିନେଇଥିଲା। ପ୍ରତିଭାସମ୍ପନ୍ନ ବ୍ୟାଟର ଯଶସ୍ବୀ ଜୟସ୍ବାଲ ପ୍ରଥମ ଓଭରରେ କୌଣସି ରନ ନ କରି ଆଉଟ ହୋଇଯାଇଥିଲେ। ଏହି ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଅଧିନାୟକ ଗାଏକ୍ୱାଡ (୨୬ ବଲ୍‌ରୁ ୪୦*ରନ; ୪x୪, ୩x୬) ଏବଂ ତିଳକ ବର୍ମା (୨୬ବଲ୍‌ରୁ ୫୫* ରନ; ୨x୪, ୬x୬) ୬୪ ବଲ୍‌ବାକି ଥାଇ ଭାରତକୁ ବିଜୟୀ କରାଇଥିଲେ। ଉଦୀୟମାନ ଅଲରାଉଣ୍ଡର ବର୍ମା ୨୫ ବଲ୍‌ରୁ ତାଙ୍କ ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶର ଇନିଂସରେ ପରଭେଜ ହୋସେନ ଇମନ ୨୩, ଜାକର ଅଲି ୨୪* ଏବଂ ରକିବୁଲ ହସନ ୧୪ ରନ କରିପାରିଥିଲେ। ଭାରତର ସବୁଠାରୁ ସଫଳ ବୋଲର ଭାବେ ସାଇ କିଶୋର ତାଙ୍କ ୪ ଓଭର ବୋଲିଂରେ ମାତ୍ର ୧୨ ରନ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ। ଓ୍ବାଶିଂଟନ ସୁନ୍ଦର ତାଙ୍କ ଫୁଲ୍‌ କୋଟା ଓଭରରେ ୧୫ ରନ ଦେଇ ୨ ଉଇକେଟ ନେଇଥିବା ବେଳେ ଅର୍ଶଦୀପ ସିଂ, ତିଳକ ବର୍ମା, ରବି ବିଷ୍ନୋଇ ଓ ଶାହବାଜ ଅହମଦ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ୨୦ ଓଭରରେ ୯୬/୯ (ଜାକର ଅଲି-୨୪*, ପରଭେଜ ହୋସେନ ଇମନ-୨୩; ସାଇ କିଶୋର-୩/୧୨, ଓ୍ବାଶିଂଟନ ସୁନ୍ଦର-୨/୧୫)। ଭାରତ ୯.୨ ଓଭରରେ ୯୭/୧ (ତିଳକ ବର୍ମା-୫୫*, ଋତୁରାଜ ଗାଏକ୍ୱାଡ-୪୦*)।

Share