Categories: ଖେଳ

ଚେନ୍ନାଇ ଟେଷ୍ଟ ଜିତିବା ଭାରତ ପାଇଁ କଷ୍ଟକର

ଚେନ୍ନାଇ, ୮ା୨- ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳକୁ ଜିତିବା ପାଇଁ ଆହୁରି ୩୮୧ ରନ୍‌ ଦରକାର। ଟିମ୍‌ ଇଣ୍ଡିଆ ହାତରେ ୯ଟି ଦ୍ୱିତୀୟ ଇନିଂସ ଉଇକେଟ ରହିଛି। ଅନ୍ତିମ ଦିନରେ ଏତେ ବଡ଼ ବିଜୟ ଲକ୍ଷ୍ୟ ହାସଲ କରିବା କଷ୍ଟକର ଥିବାରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ମ୍ୟାଚ୍‌ ବଞ୍ଚାଇବା ପାଇଁ ପୂରା ଦିନ କ୍ରିଜରେ ଛିଡ଼ା ହେବାକୁ ଚେଷ୍ଟା କରିବ।

ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୨୫୭/୬)ରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ବଳକା ୪ ଉଇକେଟରେ ମାତ୍ର ୮୦ ରନ୍‌ ଯୋଡ଼ିବାକୁ ସକ୍ଷମ ହୋଇଥିଲା। ଫଳରେ ଟିମ୍‌ ଇଣ୍ଡିଆ ୩୩୭ ରନ୍‌ରେ ସୀମିତ ରହିଥିଲା। ଘରୋଇ ଦଳ ପାଇଁ ଓ୍ବାଶିଂଟନ ସୁନ୍ଦର ୮୫ ରନ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ୨୪୧ ରନ୍‌ର ଅଗ୍ରଣୀ ଥିବା ସତ୍ତ୍ୱେ ଭାରତକୁ ଫଲୋଅନ୍‌ ଦେବା ପରିବର୍ତ୍ତେ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ଜୋ ରୁଟ। ଏହାପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଯାଦୁଗରି ସ୍ପିନ ବୋଲିଂ ଯୋଗୁ ପୂରା ଇଂଲଣ୍ଡ ଦଳ ୧୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଅଶ୍ୱିନ ସର୍ବାଧିକ ୬ ଉଇକେଟ ହାତେଇଥିବାବେଳେ ୨ ଉଇକେଟ ଅକ୍ତିଆର କରିଥିଲେ ଶାହାବାଜ ନଦୀମ। ଫଳରେ ଭାରତ ଆଗରେ ଧାର୍ଯ୍ୟ ହୋଇଥିଲା ୪୨୦ ରନ୍‌ର ଟାର୍ଗେଟ।

ବିରାଟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ଚତୁର୍ଥ ଦିନ ସୁଦ୍ଧା ରୋହିତ ଶର୍ମା(୧୨)ଙ୍କ ଉଇକେଟ ହରାଇ ୩୯ ରନ୍‌ କରିଛି। ଶୁବମାନ ଗିଲ ୧୫ ଓ ଚେତ୍ତେଶ୍ୱର ପୂଜାରା ୧୨ ରନ୍‌ କରି ଖେଳୁଛନ୍ତି।

Share