ଭୁବନେଶ୍ୱର,୭।୨: ସୁପର ସଣ୍ଡେରେ ହେବ ସୁପର ମୁକାବିଲା । ବାରବାଟୀରେ ମୁହାଁମୁହିଁ ହେବେ ଇଣ୍ଡିଆ ଓ ଇଂଲଣ୍ଡ । ରବିବାର ଦିନିକିଆ ଲଢ଼େଇ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିବେ ଉଭୟ ଦଳର ଖେଳାଳି । ଏମାନଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଖେଳାଳିମାନେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଜୋରଦାର ସ୍ବାଗତ କରାଯିବ । ମେ ଫେୟାର ହୋଟେଲରେ ଖେଳାଳିଙ୍କ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଖେଳାଳି ଓ ଟିମ ରହିବା ପାଇଁ ୯୬ଟି ରୁମ ବୁକ ହୋଇଛି । ଖେଳାଳିମାନେ ସ୍ବତନ୍ତ୍ର ଓଡ଼ିଆ ଖାଦ୍ୟ ଖାଇବେ । ଖାଇବା ମେନୁରେ ମିଲେଟ ଆଇଟମ ରହିଛି । ଖାଦ୍ୟରେ ଦେଶୀ ଚିକେନ, ମସରୁମ ପକୋଡ଼ା, ମାଛ ତରକାରୀ, ଡାଲେମା, ପନିର, ସାଧା ବେସର ରହିଛି । ଏଥି ସହ ଛେନାପୋଡ଼, ରସଗୋଲା, ମଣ୍ଡା ପିଠା, ବରା, କାକରା ଆଦି ଖାଇବେ ଖେଳାଳି ।
ସେପଟେ ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି । ରୁଟ ଲାଇନରେ ହେବ ପୋଲିସ ଛାଉଣୀ । ଏଥିପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଖେଳାଳି ରହିବା ସ୍ଥଳରେ ଚାରିପଟେ ପୋଲିସ ମୁତୟନ ହେବେ। ସୁରକ୍ଷା ଦାୟିତ୍ବରେ ଦୁଇ ଜଣ ଆଡ଼ିସନାଲ ଡିସିପି, ୪ ଜଣ ଏସିପି ରହିବେ । କାଲି ବାରବାଟୀରେ ଅଭ୍ୟାସ କରିବେ ଉଭୟ ଦଳର ଖେଳାଳି । ପଡ଼ିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।


