ବଢ଼ିଲା ବାଘ-ମଣିଷ ସୁରକ୍ଷା ଚିନ୍ତା

କେନ୍ଦୁଝର,୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗଁା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଛି। ୩/୪ ବର୍ଷ ବୟସର ଏହା ଏକ ଅଣ୍ଡିିରା ମହାବଳ ବୋଲି ବନ ବିଭାଗ ସୂଚନା ଦେଇଛି। ଏନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ଲୋକଙ୍କ ସୁରକ୍ଷା ସହ ବାଘର ସୁରକ୍ଷାକୁ ନଜରରେ ରଖି ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜଙ୍ଗଲ ନିକଟ ଗ୍ରାମବାସୀଙ୍କୁ ସଚେତନ କରାଯିବା ସହ ରାସ୍ତାରେ ବ୍ୟାରିକେଡ୍‌ ଲଗାଯାଇଥିବା ଡିଏଫ୍‌ଓ ଧନରାଜ ଏଚ୍‌ଡି ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ବାଘ ମନିଟରିଂ ପାଇଁ ଜଣେ ଆସିଷ୍ଟାଣ୍ଟ କଞ୍ଜରଭେଟର ଅଫ୍‌ ଫରେଷ୍ଟ(ଏସିଏଫ୍‌)ଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଗଠନ କରାଯାଇଛି। ବାଘର ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି। ପୂର୍ବରୁ ବନ୍ୟପ୍ରାଣୀ ଶିକାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅପରାଧୀମାନଙ୍କ ଉପରେ ନଜର ରଖାଯାଇଛି। ବନ ବିଭାଗ ପକ୍ଷରୁ ବାଘ ଚଳପ୍ରଚଳ କରୁଥିବା ଶିମିଳିପାଳ, ସାତକୋଶିଆ, ଆନନ୍ଦପୁର, ଘଟଗଁା ରେଞ୍ଜର ଅଟେଇ ଏବଂ ରେବଣା ଜଙ୍ଗଲରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଥିବା ଡିଏଫ୍‌ଓ କହିଛନ୍ତି। ବିଶେଷକରି ଘଟଗଁା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଓ ପାଣି ରହିଥିବାରୁ ସେ ଏଠାରେ ବିଚରଣ କରୁଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ପୋଲିସର ସହଯୋଗ ମଧ୍ୟ ନିଆଯାଉଛି। ସେହିପରି କେନ୍ଦୁଝର ବନଖଣ୍ଡ ପକ୍ଷରୁ ଶିମିଳିପାଳ ବାଘ ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ, କରଞ୍ଜିଆ ଡିଏଫ୍‌ଓ, ଆନନ୍ଦପୁର ବନ୍ୟପ୍ରାଣୀ ଡିଏଫ୍‌ଓଙ୍କ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ ସମ୍ପାଦିତ କରାଯାଉଛି। ଏତଦ୍‌ ବ୍ୟତୀତ ଜିଲାସ୍ତରରେ ଟାସ୍କ ଫୋର୍ସ ତଥା ରାଜ୍ୟ ଟାସ୍କ ଫୋର୍ସଙ୍କ ସହାୟତା ନିଆଯାଉଛି। ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ୧.୪ କି.ମି ପରିଧିରେ ଗୋଟିଏ ଲେଖାଏ ତଥା ୪୫ ଟି ଟ୍ରାପ୍‌ କ୍ୟାମେରା ଲଗାଯାଇଛି। ଜଙ୍ଗଲ ମଧ୍ୟ ଦେଇ ୪ଟି ରାସ୍ତାରେ ବ୍ୟାରିକେଡ୍‌ କରି ଲୋକଙ୍କ ଯାତାୟାତ ଉପରେ କଟକଣା କରାଯାଇଛି। ଜଙ୍ଗଲରେ ରହୁଥିବା ୧ ହଜାର ଲୋକଙ୍କୁ ଜଙ୍ଗଲ ଭିତରକୁ ନ ଯିବା ପାଇଁ ସଚେତନ କରାଯାଉଛି। ବିଶେଷକରି ରାତି ସମୟରେ ଉକ୍ତ ଅଞ୍ଚଳରେ ଚଳପ୍ରଚଳ ନ କରିବା, ଜଙ୍ଗଲ ଭିତରକୁ ନ ଯିବାକୁ କୁହାଯାଉଛି। ଲୋକଙ୍କ ଜୀବନଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ଦୃଷ୍ଟି ଦିଆଯାଇ ଆମ ଜଙ୍ଗଲ ଯୋଜନାରେ ବିଭିନ୍ନ ପଦକ୍ଷେପ ନିଆଯିବ। ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକମାନଙ୍କୁ ଜିଆଖତ ଦିଆଯିବା ସହିତ ପଥରବନ୍ଧ, ଚେକ୍‌ଡ୍ୟାମ ଏବଂ ଅନ୍ୟ ଜଙ୍ଗଲ କାମରେ ନିୟୋଜିତ କରାଯିବ। ଉକ୍ତ ଅଞ୍ଚଳରେ ଥିବା ୪ ବନ ସୁରକ୍ଷା ସମିତି ଜରିଆରେ ଏହି ସବୁ କାମ ଯୋଗାଇ ଦିଆଯିବ।
ପ୍ରକାଶ ଯେ, ବାଘର ଉପସ୍ଥିତିକୁ ନେଇ କେହି ଦେଖି ନ ଥିବା ବେଳେ ଟ୍ରାପ୍‌ କ୍ୟାମେରାରେ ଫଟୋ ଉତ୍ତୋଳନ ହୋଇଛି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ହାତୀ ପରେ ବାଘର ଭୟ ସମସ୍ତଙ୍କୁ ଘାରିଛି।