Categories: ବାଣିଜ୍ୟ

ଆଇଟି ରିଟର୍ନ ଅବଧି ବୃଦ୍ଧି ହେଉ: ଅର୍ଥମନ୍ତ୍ରୀଙ୍କୁ ଟୁଇଟ୍‌ କରି ଜଣାଇଲେ ସମସ୍ୟା

ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ୩୧ ତାରିଖରେ ଆୟକର ଦାଖଲ କରିବାର ଶେଷ ତାରିଖ ହୋଇଥିବାରୁ ଟିକସଦାତାଙ୍କ ପ୍ରବଳ ଭିଡ଼ ବିଭିନ୍ନ ଆଇଟି ରିଟର୍ନ ସେଣ୍ଟର ଓ ସେବାକେନ୍ଦ୍ରରେ ଦେଖିବାକୁ ମିଳିଛି। ଯେହେତୁ ଆୟକର ରିଟର୍ନ ଦାଖଲ କରିବାର ସମୟସୀମା ପାଖେଇ ଆସୁଛି ,ଏହାକୁ ନେଇ ଟିକସଦାତାଙ୍କ ଉପରେ ଏହାର ଚାପ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି। ଫଳରେ ଟ୍ୟାକ୍ସ ଦାଖଲ ପାଇଁ ଉର୍ଦ୍ଦିଷ୍ଟ ସାଇଟ୍‌ରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଯାଉଛି। ବିଭାଗୀୟ ୱେବ୍‌ସାଇଟରେ ଟିକସ ଦାଖଲ ପାଇଁ ସଂଯୋଗ କରିବାକୁ ଚେଷ୍ଟାକରି ବିଫଳହେବା ପରେ ଟିକସଦାତା ଟୁଇଟ୍‌ କରି ଆୟକର ରିଟର୍ନ ଦାଖଲ ପାଇଁ ଧାର୍ଯ୍ୟ ତାରିଖକୁ କିଛିଦିନ ବୃଦ୍ଧି କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ବିଭିନ୍ନ ସୋସିଆଲ ମିଡିଆ ବ୍ୟବହାରକାରୀ ସେମାନଙ୍କ ପୋଷ୍ଟ ଓ ପେଜ୍‌ ଜରିଆରେ ମଧ୍ୟ ନିବେଦନ କରିଥିବା ସୂଚନା ମିଳିଛି। ଅନେକ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମଧ୍ୟ କହିଛନ୍ତି, ରବିବାର ସକାଳ ୧୦ ଘଟିକାରୁ ସନ୍ଧ୍ୟା ପର୍ଯ୍ୟନ୍ତ କେବଳ ୨ରୁ ୩ଟି ରିଟର୍ନ ଫାଇଲ୍‌ କରିବାରେ ସକ୍ଷମ ହୋଇଥିବା ବେଳେ ଅନେକ ସାଇଟ୍‌ ଖୋଲୁ ନ ଥିବା ଅଭିଯୋଗ କରିଛନ୍ତି। ଆୟକର ବିଭାଗର ଆର୍ଥତ୍କ ବର୍ଷ ୨୦୧୯-୨୦ ମସିହାର ଆୟକର ରିଟର୍ନ (ଆଇଟିଆର୍‌) ଦାଖଲ କରିବାକୁ ଇମେଲ୍‌ ଏବଂ ଏସ୍‌ଏମ୍‌ଏସ୍‌ ତଥା ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଟିକସଦାତାଙ୍କୁ ଏକାଧିକ ଥର ଅବଗତ କରାଇଥିଲେ । ସାଧାରଣତଃ ଟ୍ୟାକ୍ସ ରିଟର୍ନ ପ୍ରତିବର୍ଷ ୩୧ ଜୁଲାଇ ସୁଦ୍ଧା ଦାଖଲ କରାଯାଇଥାଏ। ଚଳିତ ବର୍ଷ ମହାମାରୀ କାରଣରୁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏ ବର୍ଷ ଏହାର ଶେଷ ତାରିଖକୁ ୩୧ ଡିସେମ୍ବର ୨୦୨୦ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭାଗୀୟ ସୂଚନା ଅନୁସାରେ ୨୫ ଡିସେମ୍ବର ୨୦୨୦ ସୁଦ୍ଧା ପ୍ରାୟ ୪.୦୬ କୋଟି ଆୟକର ରିଟର୍ନ ଫାଇଲ ହୋଇଥିବା ସୂଚନା ରହିଛି। ସରକାର ଓ ବିଭାଗ ଏ ନେଇ ଚିନ୍ତା କରୁଥିବା ଓ ଟିକସଦାତାଙ୍କ ଦାବିକୁ ସମ୍ମାନ ଜଣାଇ ସମୟସୀମା ବୃଦ୍ଧି କରିବାର ଯୋଜନା ବିଷୟରେ ଉଚ୍ଚସ୍ତରୀୟ ବୈଠକ ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ଏ ନେଇ ବିସ୍ତୃତ ସୂଚନା ଦେଇଥିଲେ। ଯେହେତୁ ବିଭାଗୀୟ ସାଇଟ ସଂଯୋଗରେ ସମସ୍ୟା ରହିଛି ଏବଂ ଟିକସଦାତା ଟିକସ ଦେବା ବା ରିଟର୍ନ ଫାଇଲ କରିବା ପାଇଁ ଆଗ୍ରହୀ ଅଛନ୍ତି ସରକାର ଏ କଥାକୁ ବିଚାରକୁ ନେଇ ଆଗାମୀ ତାରିଖ ବୃଦ୍ଧି ସମ୍ପର୍କରେ ନୋଟିସ ଜାରି କରିପାରନ୍ତି ବୋଲି ଆଶା କରାଯାଉଛି।

Share