କାଂଶବାଂଶ ନଦୀରେ ଜଳସ୍ତର ବୃଦ୍ଧି

ସିମୁଳିଆ,୪ା୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ ପ୍ରବାହିତ କାଂଶବାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଚଳିତବର୍ଷ ପ୍ରଥମ ବନ୍ୟା ଆସିଛି। ଫଳରେ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟାପାଣି ଜମି ରହିଛି। ଖଇରା ଓ କୁପାରୀ ଅଞ୍ଚଳ ପରି ଉପରମୁଣ୍ଡରୁ ଜଳ ନିଷ୍କାସନ ହେବା ଫଳରେ ତଳି ଅଞ୍ଚଳ ସିମୁଳିଆରେ ଜଳସ୍ତର ବୃଦ୍ଧି ପାଇଛି। ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଅଡା ଦମକଳ ବାହିନୀ ପଣ୍ଡୁ, ଆନନ୍ଦପୁର, ନିଶ୍ଚନ୍ତା ଆଦି ବିଭିନ୍ନ ଅଞ୍ଚଳରୁ ଜଳବନ୍ଦୀରେ ଥିବା ଜନସାଧାରଣଙ୍କୁ ଉଦ୍ଧାର କରିଛି। ତହସିଲଦାର ବିଶ୍ୱନାଥ ବିଶ୍ୱାଳ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହିତ ସରପଞ୍ଚ ଓ ସମିତିସଭ୍ୟମାନଙ୍କ ସହାୟତାରେ ଚୁଡା, ଗୁଡ ପରି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ବିଭିନ୍ନ ବିଦ୍ୟାଳୟ ଓ ମନ୍ଦିରରେ ଜଳ ପ୍ରବେଶ କରିଛି। ବିଭିନ୍ନ ଅଞ୍ଚଳର ଛାତ୍ରୀଛାତ୍ର ଓଦା ହୋଇ ଗତ ବୁଧବାର ଓ ଗୁରୁବାର ବିଦ୍ୟାଳୟରେ ପହଞ୍ଚିବା ପରେ ପ୍ରଶାସନ ଛୁଟି ଘୋଷଣା କରିବା ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆନନ୍ଦପୁର ନିକଟରେ ପାଣି ସୁଅ ଚାଲୁଥିବାରୁ ସିମୁଳିଆ-ଖଇରା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କାଂଶବାଂଶ ନଦୀର ଜଳସ୍ତର ବିପଦସଂକେତ ତଳେ ଅର୍ଥାତ ୮.୦୦୫ମି.ରେ ପ୍ରବାହିତ ହେଉଥିବାର ସୂଚନା ମିଳିଛି।