ଡ୍ୟାମର ଜଳସ୍ତର ବୃଦ୍ଧି: ଖୋଲିଲା ଗୋଟିଏ ଗେଟ୍‌, ନଦୀକୂଳିଆବାସୀଙ୍କୁ ସତର୍କ ସୂଚନା

ଦିଗପହଣ୍ଡି,୧୦ା୯(ଡି.ଏନ୍‌.ଏ.): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଘୋଡ଼ାହାଡ଼ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇ ବିପଦସଙ୍କୁଳ ପାଖାପାଖି ହୋଇଛି। ଡ୍ୟାମର ସୁରକ୍ଷା ପାଇଁ ୬ଟି ଗେଟ୍‌ ମଧ୍ୟରୁ ଗୋଟିଏ ଗେଟ୍‌ ଶନିବାର ଖୋଲାଯାଇ ଉଦ୍‌ବୃତ ଜଳକୁ ନଦୀଗର୍ଭକୁ ଛଡ଼ାଯାଇଛି। ଆଗକୁ ପ୍ରବଳ ବର୍ଷା ଆଶଙ୍କା ଦୃଷ୍ଟିରେ ରଖି ଘୋଡ଼ାହାଡ଼ ନଦୀକୂଳିଆ ଗାଁ ଲୋକଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ଏସ୍‌.ଟିକରପଡ଼ା, ଗୋଲଣ୍ଡା,ବୋରିପଦର,ମଧୁବନ,କଇଠଖଣ୍ଡି,ତିଲେଶ୍ୱର,ଧେରେଣ୍ଡି,ନଆଗଡ଼,ଭୋଇପଲ୍ଲୀ,ମହାନଳା,ପଳାଶପୁର,ପାଟପୁରରେ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ନଦୀଗର୍ଭକୁ କୌଣସି ପ୍ରକାର ବ୍ୟବହାର  ସମୟରେ ସାବଧାନତା ଅବଲମ୍ବନ ପାଇଁ ପରାମର୍ଶ ଦେବା ସହ ଗୃହପାଳିତ ପଶୁମାନଙ୍କୁ ନଦୀଗର୍ଭକୁ ନ ଛାଡ଼ିବା ପାଇଁ ବାରଣ କରାଯାଇଛି। ଆଜି ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର ୧୧୬.୭୦ମିଟର ଜଳ ରହିଛି। ୧୦ ତାରିଖ ସୁଦ୍ଧା ଡ୍ୟାମ୍‌ର ଉପରମୁଣ୍ଡରେ ୫୦ମିମି ବର୍ଷା ହୋଇଥିବା ବେଳେ ଦିଗପହଣ୍ଡିରେ ୩୮ ମିମି ବର୍ଷା ହୋଇଥିବା ଘୋଡ଼ାହାଡ଼ ଜଳସେଚନ ବିଭାଗ ତରଫରୁ ରେକର୍ଡ କରାଯାଇଛି। ବର୍ତ୍ତମାନ ଘୋଡ଼ାହାଡ଼ ଜଳଭଣ୍ଡାରରେ ମୋଟ୍‌ ଜଳଧାରଣ କ୍ଷମତାର ୭୬ ଭାଗ ଜଳ ଗଚ୍ଛିତ ରହିଛି।