Categories: ବାଣିଜ୍ୟ

ବୈଦେଶିକ ମୁଦ୍ରାଭଣ୍ଡାରରେ ବୃଦ୍ଧି

ନୂଆଦିଲ୍ଲୀ,୬।୧ (ଅଭୟ ଦାଶ): କ୍ରମାଗତ ଭାବେ ଭାରତର ଫରେକ୍ସ ରିଜର୍ଭ (ବୈଦେଶିକ ମୁଦ୍ରା ଭଣ୍ଡାର) ରେ ବୃଦ୍ଧି ଘଟି ଚାଲିଛି। ଏପରିକି ୨୦୨୩ ଡିସେମ୍ବର ୨୯ରେ ଶେଷ ହୋଇଥିବା ସପ୍ତାହରେ ଭାରତର ଫରେକ୍ସ ରିଜର୍ଭ ୨.୭୫୯ ବିଲିୟନ ଡଲାରକୁ ବୃଦ୍ଧି ପାଇ ମୋଟ ୬୨୩.୨ ବିଲିୟନ ଡଲାରରେ ପହଞ୍ଚତ୍ଛି। ଶୁକ୍ରବାର ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଏକ ବିସ୍ତୃତ ରିର୍ପୋଟ ପ୍ରକାଶ ପାଇଛି। ଏପରିକି ପୂର୍ବ ସପ୍ତାହରେ ଆର୍‌ବିଆଇର ରିପୋର୍ଟ ଅନୁଯାୟୀ ସାମଗ୍ରିକ ସଂରକ୍ଷଣ ୪.୪୭୧ ବିଲିୟନ ଡଲାର ବୃଦ୍ଧି ହୋଇ ୬୨୦.୪୪୧ ବିଲିୟନ ଡଲାରରେ ରହିଥିଲା। ସେହିଭଳି ୨୦୨୧ ଅକ୍ଟୋବରରେ ଦେଶର ଫୋରେକ୍ସ କିଟି ସର୍ବକାଳୀନ ୬୪୫ ବିଲିୟନ ଡଲାରରେ ପହଞ୍ଚିଥିଲା। ଉକ୍ତ ସପ୍ତାହରେ ସୁନା ଭଣ୍ଡାର ୮୫୩ ନିୟୁତ ଡଲାରରୁ ୪୮.୩୨୮ ବିଲିୟନ ଡଲାରରେ ରହିଛି ବୋଲି ଆର୍‌ବିଆଇ ମତବ୍ୟକ୍ତ କରିଛି। ଅପରପକ୍ଷରେ ସ୍ପେଶିଆଲ ଡ୍ରଇଂ ରାଇଟ୍ସ୍‌ ୩୮ ମିଲିୟନ ଡଲାରରୁ ୧୮.୩୬୫ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ସର୍ବୋଚ୍ଚ ବ୍ୟାଙ୍କ ବିସ୍ତୃତ ଭାବେ ଉଲ୍ଲେଖ କରିଛି। ବ୍ୟାଙ୍କର ରିପୋର୍ଟ ମୁତାବକ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ସହ ଭାରତର ରିଜର୍ଭ ସ୍ଥିତି ୨ ମିଲିୟନ ଡଲାରରୁ ୪.୮୯୨ ବିଲିୟନ ଡଲାରକୁ ହ୍ରାସ ପାଇଛି।
ସେହିପରି ୨୦୨୩ ଡିସେମ୍ବର ୨୯ରେ ଶେଷ ହୋଇଥିବା ସପ୍ତାହ ପାଇଁ ଆର୍‌ବିଆଇର ତଥ୍ୟ ଅନୁଯାୟୀ ସଂରକ୍ଷଣର ଏକ ପ୍ରମୁଖ ଉପାଦାନ ଥିବା ବିଦେଶୀ ମୁଦ୍ରା ସମ୍ପତ୍ତି ୧.୮୬୯ ବିଲିୟନ ଡଲାରରୁ ବୃଦ୍ଧି ଘଟି ୫୫୧.୬୧୫ ବିଲିୟନ ଡଲାରରେ ପହଞ୍ଚତ୍ଛି। ବିଶେଷକରି ଡଲାର ଶବ୍ଦରେ ପ୍ରକାଶିତ, ବୈଦେଶିକ ମୁଦ୍ରାଭଣ୍ଡାରରେ ରଖାଯାଇଥିବା ୟୁରୋ, ପାଉଣ୍ଡ ଏବଂ ୟେନ୍‌ ଭଳି ଅଣ ଆମେରିକୀୟ ୟୁନିଟ୍‌ର ମୂଲ୍ୟବୋଧ କିମ୍ବା ଅବନତିର ପ୍ରଭାବ ଅନ୍ତର୍ଭୁକ୍ତ ରହିଛି।

Share