ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଗୋଲା ସାହିର ବି. ଜୁରିଆ(୬୦)ଙ୍କ ମୃତଦେହ ଶୁକ୍ରବାର ରାସ୍ତାକଡ ଖାଲରୁ ମିଳିଥିଲା। ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିବା ପରେ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ବିଭିନ୍ନ ଗାଁ ରାସ୍ତାକଡ ଦୋକାନ ମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ପରେ ସମ୍ପୃକ୍ତ ଟ୍ରକକୁ ଚିହ୍ନଟ କରିଥିଲେ। ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସଦଳବଳେ ଗଞ୍ଜାମ ଜିଲା କନିଶି ଅଞ୍ଚଳରେ ଚଢାଉ କରି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ଥାନାକୁ ଆଣିଥିବା ଜଣାପଡ଼ିଛି। ଗିରଫ ଭୟରେ ଟ୍ରକ ଚାଳକ ଫେରାର ଥିବା ଜଣାପଡିଛ।
ଗତ ଶୁକ୍ରବାର ସକାଳେ ଜୁରିଆ ଛେଳି ମାନଙ୍କ ନିମନ୍ତେ ଗଛ ଡାଳ ସଂଗ୍ରହ ପାଇଁ ଯାଇଥିଲେ। ସା ହେଲା ପଛେ ସେ ଘରକୁ ଫେରି ନ ଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ଶନିବାର ପୂର୍ବାହ୍ନରେ ଗାଁ ନିକଟ ୩୨୬ ନଂ ଜାତୀୟ ରାଜପଥ କଡର ଏକ ଖାଲରେ ତାଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା କିଛି ବ୍ୟକ୍ତି ଦେଖିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ପାଟପୁର ଥାନାରେ ଏତଲା ଦିଆଯିବା ପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଥାନା କେସ ନଂ.୨୧୯/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

