ଏଇ ଭାରତରେ

ଜମି ପାଖରେ ନ ରହିଲେ ବି ଚାଷ ସମ୍ଭବ ଏହା ପ୍ରମାଣ କରିଛନ୍ତି ହିିମାଚଳ ପ୍ରଦେଶର ତେଜସ୍ବୀ ଡୋଗ୍ରା । ସେ ଘରଠାରୁ ୧୦୦ କି.ମି. ଦୂରରେ ରହି ରିମୋଟ୍‌ ଫାର୍ମିଂ ପଦ୍ଧତିରେ ଆପଲ ଚାଷ କରୁଛନ୍ତି। ପେସାରେ ସେ ଜଣେ ଓକିଲ। ଏସିଆର ସବୁଠୁ ଧନୀ ଗାଁ ଭାବେ ଜଣାଶୁଣା ହିମାଚଳ ପ୍ରଦେଶର ମଡ଼ାବଗରେ ଥିବା ତାଙ୍କ ଆପଲ ବଗିଚାର ଜଳସେଚନ ଓ ତାପମାତ୍ରା ନିୟନ୍ତ୍ରଣ ଆଦି କାର୍ଯ୍ୟ ସ୍ମାର୍ଟଫୋନ ମାଧ୍ୟମରେ ସଞ୍ଚାଳନ କରୁଛନ୍ତି। ବଗିଚାରେ ସ୍ବୟଂଚାଳିତ ସ୍ପ୍ରେୟର ଲଗାଇ ସିଞ୍ଚନ ପ୍ରଣାଳୀରେ ଜଳସେଚନ କରୁଛନ୍ତି। ସ୍ମାର୍ଟଫୋନ୍‌ରେ ଥିବା ମୋବାଇଲ ଆପ୍ଲିକେଶନ ତାପମାତ୍ରା, ଆର୍ଦ୍ରତା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରୁଛି। ବଗିଚାରେ କେହି ନଷ୍ଟ କରିବାକୁ ଚେଷ୍ଟା କଲେ ତାହା ମଧ୍ୟ ସେ ଜାଣିପାରୁଛନ୍ତି। ସ୍ମାର୍ଟଫୋନ୍‌ରେ ସ୍ମାର୍ଟ ସ୍ପିକର ଇଣ୍ଟିଗ୍ରେଟେଡ ଆଲେକ୍ସ(ଯାହା କ’ଣ କରିବାକୁ ହେବ ତାହା କହିପାରିବ) ଏବଂ ଗୋଟିଏ ସେଟ୍‌ ମାଇକ୍ରୋପ୍ରୋସେସରକୁ ପ୍ରୋଗ୍ରାମ କରିବା ପରେ ରିମୋଟ୍‌ରେ ନିୟନ୍ତ୍ରଣ କରାଯାଉଛି। ମାଟିର ଆର୍ଦ୍ରତା କମୁଥିବାର ଜାଣିବା ପରେ ସିଷ୍ଟମ ମାଧ୍ୟମରେ ଜଳସେଚନ କରିପାରୁଛନ୍ତି। ସେ ଅଧ ଏକରରେ ଇଟାଲୀରୁ ଆପଲ ଗଛ ଆଣି ଲଗାଇ ଏହି ପଦ୍ଧତିରେ ପରୀକ୍ଷାମୂଳକ ଭାବେ ଭଲ ଉତ୍ପାଦନ ପାଇଛନ୍ତି।
ଏବେ ସେ ପିଏଚ୍‌ ଭାଲ୍ୟୁ ଏବଂ ମାଟିରେ ନ୍ୟୁଣ୍ଟିଟ୍‌ ଉପସ୍ଥିତି ଜାଣିବା ଲାଗି ଜ୍ଞାନକୌଶଳ ବିକାଶ କରିବାରେ ଲାଗିଛନ୍ତି। ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଘରେ ରହି ଜ୍ଞାନ କୌଶଳ ଉପଯୋଗରେ ଚାଷ କରିବା ଲାଗି କହିଥିଲେ। ଏବେ ତେଜସ୍ବୀଙ୍କ ରିମୋଟ୍‌ ଫାର୍ମିଂ ଉକ୍ତ ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛି।