ଏଇ ଭାରତରେ

ଶସ୍ୟ ଖୁଣ୍ଟା ପୋଡ଼ିଜନିତ ବାୟୁପ୍ରଦୂଷଣ ରୋକିବା ଲାଗି ବେଙ୍ଗାଲୁରୁର ସୁହାସ ବକ୍ସି ଓ ଅଶ୍ୱିନୀ ସାଭେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୨୦୨୦ରେ ‘ବାୟୋଫୁଏଲ ସର୍କଲ’ ଷ୍ଟାର୍ଟଅପ୍‌ ଗଠନ କରି କୃଷକମାନଙ୍କୁ ଶସ୍ୟବର୍ଜ୍ୟ ବିକ୍ରି କରିବାରେ ସାହାଯ୍ୟ କରିଆସୁଛନ୍ତି। ଏହା ଏକ ଅନ୍‌ଲାଇନ ମାର୍କେଟ ପ୍ଲେସ, ଯାହା ଗ୍ରାମାଞ୍ଚଳ କୃଷକଙ୍କୁ ଜୈବ ଇନ୍ଧନ, ଜୈବ ଖତ ଓ ଜୈବଗ୍ୟାସ୍‌ ଉପତ୍ାଦକଙ୍କ ସହ ସିଧା ଯୋଡ଼ିବାରେ ସହାୟକ ହୋଇଛି। ଏହି ଷ୍ଟାର୍ଟଅପ୍‌ ଦ୍ୱାରା ସୁହାସ ଓ ଅଶ୍ୱିନୀ ୧୫୦୦ କୃଷକଙ୍କୁ ଆର୍ଥିକ ଲାଭ ଦେଉଛନ୍ତି। କୃଷକମାନେ ସେମାନଙ୍କ ମଧ୍ୟରେ କୃଷକ ଉପତ୍ାଦକ ସଂଘ ଗଠନ କରି ଶସ୍ୟ ଅବଶେଷାଂଶ ସଂଗ୍ରହ କରି ତାହାକୁ ବିକ୍ରି କରୁଛନ୍ତି। ପାଖାପାଖି ୨ ଏକର ଜମି ଥିବା କୃଷକଟିଏ ଶସ୍ୟ ଅବଶେଷାଂଶ ବିକ୍ରି କରି ବର୍ଷକୁ ୧୦,୦୦୦ରୁ ୧୫,୦୦୦ ଟଙ୍କା ରୋଜଗାର କରିପାରୁଛନ୍ତି। ଏହି ଷ୍ଟାର୍ଟଅପ ପ୍ରଥମେ ମହାରାଷ୍ଟ୍ରରେ କାର୍ଯ୍ୟ ଆରମ୍ଭ କରିବା ପରେ ଏହାକୁ ଗୁଜରାଟ ଓ ତାମିଲନାଡ଼ୁକୁ ସମ୍ପ୍ରସାରିତ କରାଯାଇଛି ଓ ୨୦୨୧ରେ ୨୫,୦୦୦ ମେଟ୍ରିକ ଟନ୍‌ ଶସ୍ୟ ଅବଶେଷାଂଶ ସଂଗ୍ରହ ହୋଇଛି। ଏହା ଖୁବ୍‌ ଶୀଘ୍ର ଅନ୍ୟ ରାଜ୍ୟଗୁଡ଼ିକରେ ଆରମ୍ଭ କରାଯିବ ବୋଲି କହିଛନ୍ତି ସୁହାସ।