ଏଇ ଭାରତରେ

ସମନ୍ବିତ କୃଷି ସହ ଅନେକ ଶହ ଔଷଧୀୟ ବୃକ୍ଷ ସଂଗ୍ରହକରି କେରଳର ଏଜିକିଲ ପୌଲୋସ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପୌଲୋସ ପେସାରେ ଜଣେ ସିଷ୍ଟମ ଆର୍କିଟେକ୍ଟ। ସେ କୋଚିର ଦକ୍ଷିଣରେ ଥିବା ଛୋଟାନିକାରରେ ରହନ୍ତି। ପୌଲୋସ ମାଛ, କୁକୁଡ଼ା ଓ ଗୋପାଳନ କରିବା ସହ ଦୀର୍ଘ ୧୪ ବର୍ଷର ନିରବଚ୍ଛିନ୍ନ ପ୍ରୟାସ ବଳରେ ୧ ଏକର ଜମିରେ ୫୦୦ ବିରଳ ଔଷଧୀୟ ବୃକ୍ଷ ଉତାରିବାରେ ସକ୍ଷମ ହୋଇଛନ୍ତି। ତାଙ୍କ ଘର ଚାରିପାଖରେ ଏହିସବୁ ବୃକ୍ଷ ଶୋଭାପାଉଛି। ସାପକାମୁଡ଼ାଠାରୁ ଆରମ୍ଭ କରି ପେଟ ଓ ଚର୍ମ ଆଦି ବିଭିନ୍ନ ରୋଗ ଲାଗି ବହୁ ଔଷଧୀୟ ବୃକ୍ଷ ସେ ବିଦେଶରୁ ସଂଗ୍ରହ କରିଛନ୍ତି। ବର୍ଷାଜଳ ଅମଳକରି ଜଳସେଚନ କରୁଛନ୍ତି । ସୌରଶକ୍ତି ଦ୍ୱାରା ଘର ଓ ଚାଷ ଲାଗି ବିଦ୍ୟୁତ୍‌ ଶକ୍ତି ଆବଶ୍ୟକତା ପୂରଣ ହେଉଛି। ୨୦୦୭-୦୮ରୁ ପୌଲୋସ ଔଷଧୀୟ ବୃକ୍ଷ ସଂଗ୍ରହ ଆରମ୍ଭ କରିଥିଲେ। କର୍ନାଟକ ଏବଂ ଉତ୍ତର ପୂର୍ବାଞ୍ଚଳରେ ରହୁଥିବା ପୌଲୋସଙ୍କ ସାଙ୍ଗମାନେ ମଧ୍ୟ ଔଷଧୀୟ ବୃକ୍ଷ ସଂଗ୍ରହ କରି ତାଙ୍କ ପାଖକୁ ପଠାଉଛନ୍ତି। ବଗିଚାର ଯନତ୍ ନେବାରେ ପୂରା ପରିବାର ତାଙ୍କୁ ସହଯୋଗ କରୁଛନ୍ତି। ସେ ୧୦୦୦ ଔଷଧୀୟ ବୃକ୍ଷ ସଂଗ୍ରହକରି ତାଙ୍କ ବଗିଚାକୁ ଏକ ସବୁଜ ସ୍ବର୍ଗରେ ପରିଣତ କରିବା ଲାଗି ଯୋଜନା ରଖିଛନ୍ତି।