ଏଇ ଭାରତରେ

କମ୍‌ ଜମିରୁ ଅଧିକ ଉତ୍ପାଦନର ଉପାୟ ପାଇଛନ୍ତି ଓ ଅନ୍ୟମାନଙ୍କୁ ସେହି ପଦ୍ଧତିରେ ଚାଷ କରିବା ପାଇଁ ପ୍ରେରିତ କରୁଛନ୍ତି ମଧ୍ୟପ୍ରଦେଶର ଯୁବ ଚାଷୀ ଆକାଶ ଚୌରାଶିଆ। ବୁନ୍ଦେଲଖଣ୍ଡର ଛୋଟ ସହର ସାଗରରେ ଜନ୍ମିତ ଆକାଶ ୩ ଏକର ଜମିରୁ ବର୍ଷକୁ ୩୦ ଲକ୍ଷ ଟଙ୍କା ରୋଜଗାର କରିବା ସହ ୮୦ ହଜାର କୃଷକଙ୍କୁ ଚାଷ ସମ୍ପର୍କରେ ପ୍ରାକ୍ଟିକାଲ ବା ବ୍ୟବହାରିକ ପ୍ରଶିକ୍ଷଣ ଦେଇସାରିଲେଣି। ସେ ମୁଖ୍ୟତଃ ମଲ୍‌ଟି ଲେୟାର ଫାର୍ମିଂ କରୁଛନ୍ତି ଓ ଏହାକୁ ଅତ୍ୟନ୍ତ ଲାଭଜନକ ବୋଲି ପ୍ରମାଣିତ କରିଛନ୍ତି। କେବଳ ଏତିକି ନୁହେଁ, ତାଙ୍କଠାରୁ ୧୨ ଲକ୍ଷ କୃଷକ ମଲ୍‌ଟିଲେୟାର ଫାର୍ମିଂ ସମ୍ପର୍କରେ ୟୁଟ୍ୟୁବ୍‌ ମାଧ୍ୟମରେ ଶିକ୍ଷା ପାଇପାରିଛନ୍ତି। ଏଥିପାଇଁ ଆକାଶଙ୍କୁ ୨୦ଟି ଜାତୀୟ ପୁରସ୍କାର ମିଳିସାରିଛି। ସେ ଜମିରେ ବାଉଁଶ ପୋତି ୬.୫ ଫୁଟ ଉପରେ ମହି ଦେଇ ଲତାଜାତୀୟ ଫସଲ କରିବା ସହ ଜାଲି ତଳ ମାଟିରେ ଅନ୍ୟ ଫସଲ କରୁଛନ୍ତି। ଏହା ବ୍ୟତୀତ ଋତୁ ଅନୁଯାୟୀ ୪ ପ୍ରକାର ଫସଲ କରି ଅଧିକ ଲାଭ ପାଉଛନ୍ତି। ଏହା ଏକ ପରିବେଶ ଉପଯୋଗୀ ପଦ୍ଧତି ଓ ପଲିହାଉସ୍‌ର ବିକଳ୍ପ ବୋଲି କହିଛନ୍ତି ୩୨ ବର୍ଷୀୟ ଆକାଶ। ଜାଲି ତଳେ ମାଟିରେ ପ୍ରତି ତିନିମାସରେ ଫସଲ ପରିବର୍ତ୍ତନ କରୁଛନ୍ତି, ଯାହା ତାଙ୍କ ଆୟର ଏକ ରହସ୍ୟ। ତାଙ୍କ ଚାଷ ପଦ୍ଧତିରେ କମ୍‌ ପାଣି ଲାଗୁଛି ଅର୍ଥାତ୍‌ ୮୦ ପ୍ରତିଶତ ପାଣି ବଞ୍ଚୁଛି। ଖୋଲା ଜମିରେ ଗୋଟିଏ ଫସଲ ପାଇଁ ୧୦୦ ଲିଟର ପାଣି ଲାଗୁଥିବାବେଳେ ମଲ୍‌ଟିଲେୟାର ପଦ୍ଧତିରେ ୩୦ ପ୍ରତିଶତ ପାଣିରେ ୪ଟି ଫସଲ ହୋଇପାରୁଛି। ଏହି ପଦ୍ଧତିକୁ ଆକାଶ ସାରା ଭାରତରେ ପ୍ରସାର କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି ଓ କୃଷି ବିଭାଗ ମଧ୍ୟ ତାଙ୍କ ପଦ୍ଧତିକୁ ପ୍ରଶଂସା କରିଛି, ଯେଉଁଥିପାଇଁ ସେ ଗୋଟିଏ ପରେ ଗୋଟିଏ ପୁରସ୍କାର ପାଇଚାଲିଛନ୍ତି।