ଏଇ ଭାରତରେ

ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବେ ନଦୀ, ହ୍ରଦ ଓ ସମୁଦ୍ରରେ ଜଳଜୀବଙ୍କ ପାଇଁ ବିପଦ ପାଲଟିଛି। ଏଭଳି ସ୍ଥିତିକୁ ସମସ୍ତେ ହୃଦୟଙ୍ଗମ କଲେ ମଧ୍ୟ ୨୪ ବର୍ଷୀୟ ସ୍ନେହା ସାହିଙ୍କ ଚିନ୍ତାଧାରା ଭିନ୍ନ। ଗୁଜରାଟର ଝିଅ ସ୍ନେହା ନିଜ ଟିମ୍‌କୁ ନେଇ ନଦୀରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଫା କରିବା ସହ ଅନ୍ୟ ସଫେଇ କାର୍ଯ୍ୟରେ ଲାଗିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସେମାନେ ‘ଭୁଖି ଷ୍ଟ୍ରିମ୍‌ ପ୍ରୋଜେକ୍ଟ’ରେ ଭୁଖି ନଦୀରୁ ୭୦୦ କେ.ଜି. ବର୍ଜ୍ୟ ସଫା କରି କଇଁଚ୍ଛଙ୍କ ପାଇଁ ସୁରକ୍ଷିତ ଜୀବନ ସୁନିଶ୍ଚିତ କରିପାରିଛନ୍ତି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ(ୟୁଏନ୍‌ଇପି)ର ପ୍ଲାଷ୍ଟିକ୍‌ ଟର୍ନର ଚ୍ୟାଲେଞ୍ଜ ଦ୍ୱାରା ତାଙ୍କ ଟିମ୍‌ ପ୍ରେରିତ ତଥା ଅନୁବନ୍ଧିତ ହେବା ପରେ ଏହି କାର୍ଯ୍ୟ ୨୦୧୯ରେ ବରୋଦାର ମହାରାଜା ସୟଜୀରାଓ ୟୁନିଭର୍ସିଟିରେ ଆରମ୍ଭ କରିଥିଲେ। ଏହି ଅଭିଯାନ ପାଇଁ ତାଙ୍କ ୧୮ ଜଣିଆ ଟିମ୍‌କୁ ଆମ ଦେଶ ସ୍ବୀକୃତି ଦେଲା ପରେ ସେମାନେ ତାଙ୍କ କାର୍ଯ୍ୟ ଜାରି ରଖିଛନ୍ତି। ଭୁଖିତ୍ ନଦୀରୁ ସଂଗ୍ରହ କରିଥିବା ପ୍ଲାଷ୍ଟିକ ବର୍ଜ୍ୟକୁ ରିସାଇକ୍ଲିଂ ମଧ୍ୟ କରିଛନ୍ତି। ସେଥିରୁ ଓ୍ବାଲ ହ୍ୟାଙ୍ଗିଙ୍ଗ ଓ ପ୍ଲାଣ୍ଟର ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟ ଲାଗି ସ୍ନେହା ଏବଂ ତାଙ୍କ ଟିମ୍‌କୁ ୟୁଥ୍‌ ଫର୍‌ ଆଓ୍ବାର୍ଡ ମିଳିଛି। ଏହା ବ୍ୟତୀତ ସ୍ନେହା ମଧ୍ୟ ସ୍ଥାନୀୟ ଏନ୍‌ଜିଓଗୁଡ଼ିକରେ ସଫେଇ ଓ ଜଳସଂରକ୍ଷଣ କାର୍ଯ୍ୟକଳାପରେ ଜଡ଼ିତ ରହିଛନ୍ତି। ପରିବେଶକୁ ପ୍ର୍ରଦୂଷଣମୁକ୍ତ ରଖିବାରେ ତାଙ୍କ ଅଭିଯାନ ଛାତ୍ରୀଛାତ୍ରମାନଙ୍କୁ ନୂଆ ରାସ୍ତା ଦେଖାଇଛି।