ଏଇ ଭାରତରେ

ବୁନ୍ଦି, ବେସନ, ନଡ଼ିଆ ଏବଂ ଚକୋଲେଟ ଆଦି ଲଡୁ ଖାଇଛନ୍ତି, ହେଲେ ଛତୁ ଲଡୁ କେବେ ଖାଇଛନ୍ତି କି? ଏମିତିକା ଲଡୁ ପ୍ରସ୍ତୁତ କରୁଛନ୍ତି ହରିୟାଣାର ଅଶୋକ କୁମାର ବଶିଷ୍ଠ। ତାଙ୍କ ହାତ ତିଆରି ଛତୁ ଲଡୁର ଚାହିଦା ଏବେ ହରିୟାଣା ବ୍ୟତୀତ ଦିଲ୍ଲୀ, ରାଜସ୍ଥାନ ଓ ପଞ୍ଜାବରେ ବେଶ ଆଦୃତ ହୋଇପାରିଛି। ଜିନ୍ଦ ନିବାସୀ ଅଶୋକ ୧୦ମ ଶ୍ରେଣୀ ଯାଏ ପଢ଼ିଛନ୍ତି। ପଢ଼ା ପରେ ବିଭିନ୍ନ ପ୍ରକାର ଶସ୍ୟ ଓ ପନିପରିବା ଚାଷ କରୁଥିଲେ। ପରେ ଛତୁଚାଷ ଆରମ୍ଭ କରି ମୁର୍‌ଥାଲ ମସ୍‌ରୁମ ରିସର୍ଚ୍ଚ ସେଣ୍ଟର (ମୁର୍‌ଥାଲ)ର ଗବେଷକ ଡ. ଅଜୟ ସିଂ ଯାଦବଙ୍କ ତତ୍ତ୍ୱାବଧାନରେ ଏହାକୁ ବଢ଼ାଇବା ସହ ପ୍ରଚୁର ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି। ରିସର୍ଚ୍ଚ ସେଣ୍ଟର ସହାୟତାରେ ସେ ଘରେ ଛତୁରୁ ବିଭିନ୍ନ ପ୍ରକାର ଉତ୍ପାଦ ପ୍ରସ୍ତୁତ କରିବା ଆରମ୍ଭ କରି ସେଥିରେ ସଫଳତା ପାଇବା ସହ ମାସକୁ ପାଖାପାଖି ୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଅଶୋକ ଏବଂ ତାଙ୍କ ସ୍ତ୍ରୀ ସୁନିତା ଛତୁରୁ ଲଡୁ, ଜାମ୍‌, ଆଚାର ଓ ଚଟଣି ଆଦି ୮୦ ପ୍ରକାର ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ଏହାକୁ ସେ ଏବେ ଦିଲ୍ଲୀ, ରାଜସ୍ଥାନ ଓ ପଞ୍ଜାବକୁ ପଠାଉଛନ୍ତି ଓ ଆଗାମୀ ଦିନରେ ଅନ୍ୟ ରାଜ୍ୟରେ ତାଙ୍କ ବ୍ୟବସାୟ ଆରମ୍ଭ କରିବେ ବୋଲି କହିଛନ୍ତି ଅଶୋକ। ଅଶୋକଙ୍କ ପ୍ରସ୍ତୁତ ଉତ୍ପାଦକୁ ମଧ୍ୟ ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଆଇ) ସ୍ବୀକୃତି ମିଳିଛି। ମସ୍‌ରୁମ୍‌ ରିସର୍ଚ୍ଚ ସେଣ୍ଟର ସହ ଏଥିରେ ହରିୟାଣା କୃଷି ବିଜ୍ଞାନ କେନ୍ଦ୍ର ମଧ୍ୟ ସହଯୋଗର ହାତ ବଢ଼ାଇଛି। ଛତୁରୁ ସ୍ବାଦିଷ୍ଟ ଉତ୍ପାଦ ପ୍ରସ୍ତୁତ କରିବା ଏବେ ନୂତନ ପିଢ଼ିର ଚାଷୀଙ୍କ ପାଇଁ ନୂଆ ବାଟ ଦେଖାଇବା ସହ ନିଯୁକ୍ତି ସୃଷ୍ଟି କରିବ ବୋଲି କହନ୍ତି ଅଶୋକ। ସେ ମଧ୍ୟ ତାଙ୍କ ଚାଷ ଓ ବ୍ୟବସାୟରେ ଅନେକଙ୍କୁ ନିଯୁକ୍ତି ଦେଇଛନ୍ତି। ମହର୍ଷି ବଶିଷ୍ଠ ମସ୍‌ରୁମ୍‌ ମାର୍କାରେ ତାଙ୍କ ଉତ୍ପାଦକୁ ବିକ୍ରି କରୁଛନ୍ତି ଓ ଏହା ଏଫ୍‌ଏସ୍‌ଏସ୍‌ଆଇର ସ୍ବୀକୃତି ପାଇଛି। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ମଧ୍ୟ ଏହି କାର୍ଯ୍ୟ ଲାଗି ହରିୟାଣା ସରକାର ସମ୍ମାନିତ କରିଛନ୍ତି।