ଏଇ ଭାରତରେ

ଗୋଟିଏ ଟି-ଶାର୍ଟ ଏବଂ ଏକ ଯୋଡ଼ା ଜିନ୍ସ ଲାଗି ଆବଶ୍ୟକ ଫାଇବର ପ୍ରସ୍ତୁତିରେ ଯଥାକ୍ରମେ ୨,୭୦୦ ଓ ୧୦,୦୦୦ ଲିଟର ପାଣି ଲାଗୁଛି। ଏହା ଜାଣି ଆଶ୍ଚର୍ଯ୍ୟ ହେଉଥିବେ, ହେଲେ ଏହା ସତ। ଏହି ପରିମାଣ ପାଣିକୁ ଜଣେ ଲୋକ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପାନୀୟଜଳ ଭାବେ ବ୍ୟବହାର କରିପାରିବ। ହଳେ ଜିନ୍ସ ପାଇଁ ୧କେ.ଜି. କଟନ ଦରକାର ଓ ଏହାର ପରିବେଶଗତ ପ୍ରଭାବ ଢେର୍‌ ଅଧିକ। ଏହି ନକାରାମତ୍କ ପ୍ରଭାବ ଦୂର କରିବାକୁ ବାହାରିଛନ୍ତି ଗୁଜରାଟର ଶେୟାନ କୋକ୍ରା। ସେ ‘କାନ୍‌ଭାଲୁପ୍‌’ ଷ୍ଟାର୍ଟଅପ୍‌ ଆରମ୍ଭ କରି କୃଷି ବର୍ଜ୍ୟରୁ ଜିରୋ ଓ୍ବେଷ୍ଟ୍‌ ପ୍ରୋସେସ୍‌ରେ ପରିବେଶ ଉପଯୋଗୀ ଫାଇବର ପ୍ରସ୍ତୁତ କରୁଛନ୍ତି। କୋକ୍ରା ଆମେରିକାର ବବ୍‌ଶନ କଲେଜରୁ ଏଣ୍ଟରପ୍ରିନ୍ୟୁରଶିପ୍‌ କୋର୍ସ ଶେଷ କରି ଭାରତ ଫେରିବା ପରେ ୨୦୧୭ରେ କାନଭାଲୁପ ଷ୍ଟାର୍ଟଅପ୍‌ ଗଠନ କରିଥିଲେ। ଏବେ ନୂତନ ଟେକ୍‌ନୋଲୋଜି ମାଧ୍ୟମରେ ସେ ମାତ୍ର ୧୦ ଲିଟର ପାଣିରେ କୃଷି ବର୍ଜ୍ୟରୁ ହଳେ ଜିନ୍ସ ଲାଗି ଫାଇବର ପ୍ରସ୍ତୁତ କରିପାରୁଛନ୍ତି। ଫାଇବର ଲାଗି ସପୁରି ପତ୍ର ବ୍ୟବହାର କରୁଛନ୍ତି। ଗୋଟିଏ ମାସରେ ସେ ୮୦ ଟନ୍‌ ଫାଇବର କୃଷି ବର୍ଜ୍ୟରୁ ପାଉଛନ୍ତି। ଏହାକୁ ବହୁ ପ୍ରତିଷ୍ଠିତ କମ୍ପାନୀ ନେଇ ଜିନ୍ସ ଓ ଟି-ଶାର୍ଟ ତିଆରି କରୁଛନ୍ତି।