ଏଇ ଭାରତରେ

ଉଚ୍ଚ ବେତନର ସରକାରୀ ଚାକିରି ତୁଳନାରେ କଇଁଛ ଜୀବନର ମୂଲ୍ୟ ବେଶି ଏହା ପ୍ରତିପାଦିତ କରିଛନ୍ତି ଶୈଳେନ୍ଦ୍ର ସିଂ। ପରିବାର ଇଚ୍ଛା ବିରୋଧରେ ୨୦୦୫ରେ ସୀମା ସୁରକ୍ଷା ବଳରୁ ଚାକିରି ଛାଡି ସେ ବିଲୁପ୍ତପ୍ରାୟ ବହୁ ପ୍ରଜାତିର କଇଁଛଙ୍କ ଜୀବନ ବଞ୍ଚାଉଛନ୍ତି। ଏହାଯୋଗୁ କଇଁଛମାନଙ୍କ ବଞ୍ଚିବାର ହାର ୮୦% ନିଶ୍ଚିତ ହୋଇପାରିଛି। ଏହି କାର୍ଯ୍ୟ ତାଙ୍କୁ ଜଣେ ଆଗ ଧାଡ଼ିର ‘ବନ୍ୟଜୀବ ଯୋଦ୍ଧା’ ପରିଚୟ ଦେଇଛି।
ଭାରତରେ ଦେଖାଯାଉଥିବା ୨୯ ପ୍ରଜାତିର ମଧୁରଜଳ କଇଁଛଙ୍କ ବଂଶ ଲୋପ ପାଇବାକୁ ବସିଛି। ଏମାନଙ୍କୁ ଉଦ୍ଧାର କରିବାରେ ଶୈଳେନ୍ଦ୍ର ୧୩ ବର୍ଷ ହେବ କାର୍ଯ୍ୟ କରୁଛନ୍ତି। ଏବେ ସୁଦ୍ଧା ସେ ୭ଟି ପ୍ରଜାତିକୁ ବିଲୁପ୍ତିରୁ ଉଦ୍ଧାର କରିଛନ୍ତି। ଭାରତ-ନେପାଳ ସୀମା କାଟରନିଆଘାଟ ବନ୍ୟଜନ୍ତୁ ଅଭୟାରଣ୍ୟ ନିକଟସ୍ଥ ଜରଓ୍ବାଲ୍‌ରୋଡ ଗାଁର ବାସିନ୍ଦା ଶୈଳେନ୍ଦ୍ର ୯ ବର୍ଷ ବୟସରୁ କଇଁଛ ଉଦ୍ଧାର ପ୍ରତି ଆଗ୍ରହ ଦେଖାଇଥିଲେ। ସେ ପ୍ରାଣୀବିଜ୍ଞାନରେ ଡିଗ୍ରୀ ଓ ପରିବେଶ ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଛନ୍ତି। ୨୦୦୩ରେ ଗୋମତି ନଦୀରୁ କଇଁଛମାନଙ୍କ ଜୀବନ ଉପରେ ଗବେଷଣା କରିବା ସମୟରେ ସେମାନେ ଭୟଙ୍କର ବିପଦରେ ଥିବା ଜାଣି ପାରିଥିଲେ। ଏବେ ସେ ଦେଶର ବିଭିନ୍ନ ସ୍ଥାନରେ କଇଁଛ ଉପରେ ଅନୁଧ୍ୟାନ କରୁଛନ୍ତି।