ରାଜସ୍ଥାନ ଥର୍ ମରୁଭୂମିରେ ଓଟମାନେ ଖାଦ୍ୟ ପାଇଁ ଚାରଣ ଭୂମି ଉପରେ ନିର୍ଭର କରିଥାନ୍ତି। ଏହା ହ୍ରାସ ପାଇଲେ ଓଟ ପାଳନ କରିବା କଷ୍ଟକର ହୋଇଯିବ। ଏଣୁ ଏଭଳି ଏକ ସଙ୍କଟ ଟାଳିବା ଲାଗି ଓଟପାଳକ ସୁମର ସିଂ ଭାଟି ଥର୍ ଅଞ୍ଚଳରେ ଚାରଣ ଭୂମି ସଂରକ୍ଷଣ କରିପାରିିଛନ୍ତି। ଭାଟି ୨୦ଟି ଗାଁର ସବୁ ଘରକୁ ଯାଇ ଚାରଣଭୂମି ହ୍ରାସଜନିତ ପଶୁ ଖାଦ୍ୟ ସଙ୍କଟ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ସମ୍ମିଳିତ ପ୍ରୟାସକ୍ରମେ ସେମାନେ ୧୦,୦୦୦ ହେକ୍ଟର ପରିମିତ ଡିଗ୍ରାଇ ମାତା ଚାରଣଭୂମିର ସଂରକ୍ଷଣ କରିପାରିଛନ୍ତି, ଯାହା ଓଟଙ୍କ ପାଇଁ ଖାଦ୍ୟ ଯୋଗାଇପାରୁଛି। ଜୈସାଲମେର୍ ଜିଲାର ଏହି ଚାରଣଭୂମି ଉପରେ ୫,୦୦୦ ପଶୁପାଳକ ପରିବାର ନିର୍ଭର କରିଥାନ୍ତି। ଏହା ମଧ୍ୟ ବିଭିନ୍ନ ବନ୍ୟପ୍ରାଣୀ ଓ ବିଲୁପ୍ତପ୍ରାୟ ଗ୍ରେଟ୍ ଇଣ୍ଡିଆନ ବୁଷ୍ଟାର୍ଡଙ୍କ ବାସସ୍ଥାନ। ଭାଟି ମଧ୍ୟ ଚାରଣଭୂମିର ସୁରକ୍ଷା ପାଇଁ ଜୈସାଲମେର୍ ଜିଲାର ତନୋତ ମାତା ମନ୍ଦିରଠାରୁ ଜୟପୁର ଯାଏ ଦୀର୍ଘ ୭୫୦ କିଲୋମିଟର ଓରାନ ବା ଚାରଣଭୂମି ବଞ୍ଚାଅ ପଦଯାତ୍ରା କରିଥିଲେ। ଏଥିରେ ଜୈସାଲମେର୍ ସମେତ ବିଭିନ୍ନ ଜିଲାରୁ କୃଷକ ଏବଂ ଓଟ ପାଳକମାନେ ଭାଗ ନେଇଥିଲେ।