ଏଇ ଭାରତରେ

ଗୁଜରାଟରେ ସବୁଠୁ ଅଧିକ ଜଳାଭାବର ସମ୍ମୁଖୀନ ହେଉଥିବା ଆଦିବାସୀ ଅଧ୍ୟୁଷିତ ଡାଙ୍ଗ, ନର୍ମଦା ଓ ବରୁଚ ଜିଲାରେ ନୀତା ପଟେଲ ଚେକ୍‌ ଡ୍ୟାମ ଓ ଜଳାଶୟର ପୁନରୁଦ୍ଧାର କରି ଲୋକଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିପାରିଛନ୍ତି। ନୀତା ୧୨ ବର୍ଷ ହେଲା ଏହି କାମ କରୁଛନ୍ତି। ଏହି ପଦକ୍ଷେପ ଯୋଗୁ ଏବେ ୩ ଜିଲାର ୨୩୦ ଗାଁର ପାଖାପାଖି ୨୨,୦୦୦ ପରିବାର ଉପକୃତ ହେଉଛନ୍ତି। ନବସାରିର ମୋଗ୍ରାଓ୍ବାଡ଼ି ଗାଁରେ ଏକ ଗରିବ ପରିବାରରେ ନୀତାଙ୍କ ଜନ୍ମ। ତାଙ୍କ ପରିବାର ଦୈନିକ ମଜୁରି ଉପରେ ନିର୍ଭରଶୀଳ ଥିଲା। ପରିବାରକୁ ସହଯୋଗ କରିବା ଲାଗି ସେ ମଧ୍ୟ କ୍ଷେତରେ କାମ କରି ଦିନକୁ ୧୨ ଟଙ୍କା ରୋଜଗାର କରିଥିଲେ। ଏହା ସତ୍ତ୍ୱେ ନୀତା ସ୍କୁଲ ଶିକ୍ଷା ଶେଷ କରିବା ପରେ ରୁରାଲ ଷ୍ଟଡିଜ୍‌ରେ ଡିଗ୍ରୀ ହାସଲ କରି ଆଗା ଖାଁ ରୁରାଲ ସପୋର୍ଟ ପ୍ରୋଗ୍ରାମରେ ୨୦୦୨ରେ ଡେଭଲପମେଣ୍ଟ ଅର୍ଗାନାଇଜର ଭାବେ ଯୋଗଦେବା ପରେ ତିନୋଟି ଜିଲାରେ ଜଳ ସମସ୍ୟା ଦୂର କରିବାରେ ପ୍ରମୁଖ ଭୂମିକା ନେଉଛନ୍ତି। ପଞ୍ଚାୟତଗୁଡ଼ିକର ସ୍ବୀକୃତି ନେଇ ପୁରୁଣା କୂଅ, ଜଳାଶୟ ଓ ୪୮ଟି ଆଡ଼ିବନ୍ଧର ପୁନରୁଦ୍ଧାର କରିବା ସହ ଉଠାଜଳସେଚନ ବ୍ୟବସ୍ଥା କରିଛନ୍ତି। ସେ ପାଣି ସମିତି ଗଠନ କରି ମହିଳାମାନଙ୍କୁ ଜଳ ପରିଚାଳନାର ଦାୟିତ୍ୱ ଦେଇଛନ୍ତି। ସେ ଲୋକଙ୍କୁ ଏକାଠି କରି ବିଭିନ୍ନ ଗାଁରେ ୯୦,୦୦୦ ଚାରା ରୋପଣ କରିଛନ୍ତି।

Dharitri – Odisha’s No.1, Most Trusted Odia Daily