ଶିଖିବା ଓ ଶିଖାଇବା ପ୍ରବୃତ୍ତି ଜୀବନର ଶେଷ ଯାଏ ରହେ। ମଣିଷ ପାଖରେ ଯେଉଁ ଜ୍ଞାନ ଓ କଳା ଥାଏ ତାହାକୁ ସେ ଜୀବନର ଅପରାହ୍ନରେ ବି ବାଣ୍ଟିବାକୁ ଆଗ୍ରହ ପ୍ରକାଶ କରେ, ଯାହା କରୁଛନ୍ତି କେରଳର ଇନ୍ଦିରା ଆମ୍ମା। ଇନ୍ଦିରାଙ୍କୁ ବୟସ ଏବେ ୮୫ ବର୍ଷ। ସେ ଏକ ଭିନ୍ନ ଉପାୟରେ ପିଲାଙ୍କ ଶିକ୍ଷା ଆରମ୍ଭ କରୁଛନ୍ତି। ଓଡ଼ିଆ ସଂସ୍କୃତିରେ ଖଡ଼ିଛୁଅଁା ଭଳି କେରଳରେ ଏଝୁଥିନିରୁଥୁ ପରମ୍ପରାରେ ପିଲାମାନେ ଶିକ୍ଷା ଆରମ୍ଭ କରିଥାନ୍ତି। ଏହି ପରମ୍ପରାରେ ଆମ୍ମା ପ୍ରାଚୀନ ଶୈଳୀରେ ଶିକ୍ଷା ଶୁଭାରମ୍ଭ କରୁଛନ୍ତି। ସେ ବାଲି ଉପରେ ପିଲାଙ୍କୁ ପ୍ରଥମେ ଲେଖା ଶିଖାଉଛନ୍ତି। ପ୍ରାଚୀନ ଶିକ୍ଷା କୌଶଳ ମଧ୍ୟ ଆଧୁନିକ ସମୟରେ ପ୍ରଯୁଯ୍ୟ ବୋଲି ସେ ପ୍ରମାଣ କରିପାରିଛନ୍ତି। ଆମ୍ମା ବାଲିକୁ ସମାନ ଭାବେ ଚଟାଣରେ ଖେଳାଇ ତାହା ଉପରେ ଅଙ୍ଗୁଳିରେ ମାଲୟାଲମ, ହିନ୍ଦୀ, ଇଂଲିଶ ଅକ୍ଷର ଲେଖି ପିଲାଙ୍କୁ ତାହା ଶିଖାଇଥାନ୍ତି। ପିଲାମାନେ ବାଲି ପ୍ୟାଚ୍ର ଚାରି କଡ଼ରେ ବସି ଆମ୍ମାଙ୍କ କହିବା ଅନୁଯାୟୀ ଲଖିଥାନ୍ତି। ଏହା ବ୍ୟତୀତ ସଂଖ୍ୟା, ମିଶାଣ, ଫେଡ଼ାଣ ଓ ଗୁଣନ ମଧ୍ୟ ଶିଖନ୍ତି। ପ୍ରାରମ୍ଭିକ ଶିକ୍ଷା ସମୟରେ ବାଲିରେ ପିଲାମାନେ ଆଗ୍ରହର ସହ ଲେଖନ୍ତି। ଫଳରେ ସ୍କୁଲ ପ୍ରବେଶ ପରେ କଲମ ବା ପେନସିଲରେ ଅକ୍ଷର ଲେଖିବା କିମ୍ବା ଗଣିତ ସମାଧାନ ସେମାନଙ୍କ ପାଇଁ ସହଜ ହୋଇଯାଏ।