ଏଇ ଭାରତରେ

ଏକାଗ୍ରତାର ସହ ନୂତନତ୍ୱର ଅନ୍ବେଷଣ କଲେ ସଫଳତା ନିଶ୍ଚୟ ମିଳେ, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର ବିମଳ କିଶୋର। ବିମଳ ଜଣେ ଦିବ୍ୟାଙ୍ଗ। ଏଣୁ ସେ ସହଜରେ କମ୍‌ ଖର୍ଚ୍ଚରେ ଯାତାୟାତ ପାଇଁ ସ୍କୁଟର ଯନ୍ତ୍ରାଂଶ ବ୍ୟବହାର କରି ଏକ କାର୍‌ ନିର୍ମାଣ କରିଛନ୍ତି। ଏହାର ନାମ ରଖିଛନ୍ତି ଲୈଲୋ। ଏହି କାର୍‌ ସୌରଶକ୍ତି ଚାଳିତ। ଏଥିରେ ଜିପିଏସ୍‌ ଏବଂ ରିୟର ଭିୟୁ କ୍ୟାମେରା ରହିଛି। କାର୍‌ ନିର୍ମାଣ ପାଇଁ ବିମଳ ୯୦,୦୦୦ ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କ ରୋଜଗାରରୁ ସେ ଏହି ଟଙ୍କା ବ୍ୟୟ କରିଛନ୍ତି। ବିମଳ ପ୍ରୟାଗରାଜରେ ଏକ କଫି ଷ୍ଟଲ କରିଛନ୍ତି। ଦିନବେଳା କଫି ବିିକ୍ରି କରିବା ପରେ ରାତିରେ ବିଭିନ୍ନ ଯନ୍ତ୍ର ନିର୍ମାଣରେ ଲାଗିଯାଆନ୍ତି। ଏହି କାର୍‌ ପୂର୍ବରୁ ସେ ଦୈନନ୍ଦିନ ଜୀବନର ସମସ୍ୟା ସମାଧାନ କରିବା ପାଇଁ ଅନେକ ମେଶିନ ନିର୍ମାଣ କରିବାରେ ସଫଳ ହୋଇଛନ୍ତି। ଜନ୍ମ ହେବାର ୮ମାସ ବେଳକୁ ବିମଳ ଜ୍ୱରରେ ଆକ୍ରାନ୍ତ ହେବା ଯୋଗୁ ତାଙ୍କ ଗୋଡ଼ ପ୍ରଭାବିତ ହୋଇଥିଲା। ଫଳରେ ବଡ଼ ହେଲାପରେ ସେ ଆଉ ଚାଲିପାରି ନ ଥିଲେ। ଏବେ ସେ ଲୈଲୋରେ ସବୁଆଡ଼େ ଯାଇପାରୁଛନ୍ତି।

Dharitri – Odisha’s No.1 Odia Daily