ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ ସକାଳୁ କାହିଁକି ତାଙ୍କ ପାଇଁ ରୋଷେଇ କରୁଛନ୍ତିି? ବାସ୍ତବରେ ସେମାନେ କରୁଥିବା ରୋଷେଇ ତାଙ୍କ ପାଇଁ ନୁହେଁ, ବରଂ ମୁମ୍ବାଇର ଦିନ ମଜୁରିଆ ଓ ଅନ୍ୟ ଅସହାୟ ଲୋକଙ୍କ ଲାଗି ଖାଦ୍ୟ ପ୍ରସ୍ତୁତ କରି ସେମାନଙ୍କୁ ପ୍ରତି ରବିବାର ଖାଇବାକୁ ଦେଉଛନ୍ତି। ସେମାନେ ମାତୋଶ୍ରୀ ଫାଉଣ୍ଡେଶନ ଗଠନ କରି ତା’ମାଧ୍ୟମରେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ସେମାନେ ରବିବାର ୧୦୦ଟି ମିଲ୍‌ ପ୍ରସ୍ତୁତ କରୁଛନ୍ତି। ୨ ଜୁଲାଇ ୨୦୨୩ ରବିବାରରେ ଏହି ଫାଉଣ୍ଡେଶନ ପ୍ରଥମେ ଖାଦ୍ୟ ବଣ୍ଟନ ଆରମ୍ଭ କରିଥିଲା। ଏବେସୁଦ୍ଧା ମୋଟ ୧୫,୦୦୦ରୁ ଊର୍ଦ୍ଧ୍ୱ ମିଲ୍‌ ସେମାନେ ପରଷି ସାରିଲେଣି। ପୂଜା ମାତୋଶ୍ରୀ ଫାଉଣ୍ଡେଶନର ସହ ପ୍ରତିଷ୍ଠାତା ଥିବାବେଳେ ପ୍ରତିଷ୍ଠାତା ହେଉଛନ୍ତି ଦୀପେଶ।
ପୂଜା ଜଣେ ସେଫ ଓ ନ୍ୟୁଟ୍ରିଶନିଷ୍ଟ ଏବଂ ଦୀପେଶ ଜଣେ ବ୍ୟାଙ୍କର। ସେମାନେ ରବିବାରରେ ଭାନଦୁପର ସାଇ ମନ୍ଦିର ନିକଟରେ ପହଞ୍ଚି ଯାଆନ୍ତି ଏବଂ ଲୋକଙ୍କୁ ଖାଦ୍ୟ ଦେଉଛନ୍ତି। ଏବେ ଏହି ଫାଉଣ୍ଡେଶନ ମାଧ୍ୟମରେ ଲୋକଙ୍କୁ ଖାଇବାକୁ ଦେବା ଲାଗି ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ଡେଢ଼ିହା ଦମ୍ପତିଙ୍କ ସହ ଯୋଗାଯୋଗ କରୁଛନ୍ତି। କେବଳ ଏତିକି ନୁହେଁ, ଏହି ଦମ୍ପତି ଗରିବ ପଲାଙ୍କୁ ପାଠ ଉପକରଣ ମଧ୍ୟ ଦେଉଛନ୍ତି।

Dharitri – Odisha’s No.1 Odia Daily

Share