ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ ଯାନ (ଇଭି)ପାଇଁ ଋଣ ଯୋଗାଇ ଦେଉଛନ୍ତି। ୨୦୨୨ରେ ରାଜଶ୍ରୀ କେତେକ ଫାଇନାନ୍ସିଆଲ ଫାର୍ମରେ ଏମ୍‌ଡି ଓ ସିଇଓ ଭାବେ କାର୍ଯ୍ୟ କରୁଥିବା ସମୟରେ ତାହାକୁ ଛାଡ଼ି ଇଭି ବ୍ୟବହାର ବୃଦ୍ଧି ଲାଗି ନିଷ୍ପତ୍ତି ନେଇଥିଲେ। ଭାରତରେ ଇଭି କିମ୍ବା ସୌରଶକ୍ତି ଉତ୍ପାଦନ ପାଇଁ ଯୋଜନା କରାଯାଇଥିଲେ ବି ପାଣ୍ଠି ଯୋଗାଣରେ ସମସ୍ୟା ଥିବା ସେ ଅନୁଭବ କରିଥିଲେ। ତେବେ ଏହାକୁ ପ୍ରୋତ୍ସାହିତ କରିବା ସକାଶେ ସେ ଗୋବିନ୍ଦ ଶଙ୍କରନାରାୟଣନଙ୍କ ସହ ମିଶି ‘ଇକୋଫି’ ଗଠନ କରିଥିଲେ। ଫଳରେ ସେମାନେ ଇଭି, ଛାତ ଉପରେ ସୌର ପ୍ୟାନେଲ ବସାଇ ଶକ୍ତି ଉତ୍ପାଦନ ଏବଂ ପରିବେଶ ଉପଯୋଗୀ ବ୍ୟବସାୟ ପାଇଁ ଋଣ ଯୋଗାଇ ଦେଉଛନ୍ତି। ୨୦୨୨ ଡିସେମ୍ବରରେ ପ୍ରଥମେ ଋଣ ଯୋଗାଇ ଦେବା ପରଠାରୁ ଏଯାବତ ଦେଶର ବିଭିନ୍ନ ରାଜ୍ୟର ୫୦୦ରୁ ଊର୍ଦ୍ଧ୍ୱ ସହରରେ ୧,୩୦,୦୦୦ ଲୋକଙ୍କୁ ଋଣ ଯୋଗାଇ ଦେଇ ସାରିଲେଣି। ବିଭିନ୍ନ ଇଭି ଓ ସୋଲାର କମ୍ପାନୀ ସହ ଯୋଗାଯୋଗ ରକ୍ଷା କରି ଏହି କାର୍ଯ୍ୟ ଜାରି ରଖିଛନ୍ତି। ଏହାର କାରବାର ୧,୪୦୦ କୋଟିକୁ ଟପିଗଲାଣି। ଏହି ପ୍ରୟାସ ନିଶ୍ଚିତ ଭାବେ କାର୍ବନ ନିର୍ଗମନ ହ୍ରାସ କରିବାରେ ସାହାଯ୍ୟ କରୁଛି।

Dharitri – Odisha’s No.1 Odia Daily

Share