ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ ଭୂତଳଜଳସ୍ତର ବୃଦ୍ଧି କରିବା ସକାଶେ ଆଇଏଏସ୍ ଅଧିକାରୀ ତଥା ତାମିଲନାଡୁ ତିରୁଭାଲ୍ଲାର ଜିଲାର ଜିଲାପାଳ ପ୍ରତାପ ଏମ୍. ଅଚଳ ବୋରଓ୍ବେଲଗୁଡ଼ିକ ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧିକରିବା ଲାଗି ବ୍ୟବହାର କରୁଛନ୍ତି। ସେ ଭୂତଳଜଳସ୍ତର ପୁନରୁଦ୍ଧାର ବ୍ୟବସ୍ଥା ମାଧ୍ୟମରେ ଜିଲାର ବିଭିନ୍ନ ଅଞ୍ଚଳରେ ଅଚଳ ହୋଇପଡ଼ିଥିବା ୧,୨୦୦ ବୋରଓ୍ବେଲକୁ ଉପଯୋଗ କରିସାରିଲେଣି। ବର୍ଷାଜଳ ଏହି ବୋରଓ୍ବେଲ ମାଧ୍ୟମରେ ଭୂତଳକୁ ଯିବା ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ପାଉଛି। ଫଳରେ ସେହି ସବୁ ଅଞ୍ଚଳରେ ପୂର୍ବରୁ ଶୁଖିଲା ପଡ଼ିଥିବା କୂଅଗୁଡ଼ିକରେ ପାଣି ରହୁଛି, ପୋଖରୀ ମଧ୍ୟ ଶୁଖିଯାଉନାହିଁ। ପ୍ରତାପ ଏମ୍. ବିରୁଧୁନଗରର ଏକ କୃଷକ ପରିବାରରେ ଜନ୍ମ ହୋଇଛନ୍ତି। ପିଲାଦିନେ ସେ ଜଳ ଅଭାବକୁ ନିକଟରୁ ଦେଖିଥିଲେ। ଜିଲାପାଳ ହେବା ପରେ ସେ ଜଳସଙ୍କଟ ଦୂର କରିବା ଲାଗି ଏଭଳି ପଦକ୍ଷେପ ନେଇଛନ୍ତି।