ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର ନେବା ପରେ ଏହି କାମ କରିଆସୁଛନ୍ତି। ୨୦୧୪ରେ ସେ ଘରଚଟିଆଙ୍କ ବଂଶ ଲୋପ ପାଇଯାଉଥିବା ବିଷୟ ଜାଣିବା ପରେ ସେମାନଙ୍କ ବଂଶ ବୃଦ୍ଧି ପାଇଁ ଅଦରକାରୀ ଓ୍ବେଡିଂ କାର୍ଡରେ ବସା ତିଆରି କରିବା ଆରମ୍ଭ କରିଥିଲେ। ସେବେଠାରୁ ସେ ମାସକୁ ୨୫ରୁ ୨୬ଟି ବସା ତିଆରି କରି ଆସୁଛନ୍ତି। ଏବେ ସୁଦ୍ଧା ସେ ୨,୭୨୫ ବସା ତିଆରି କରିସାରିଲେଣି। ଯେଉଁମାନେ ଘରଚଟିଆଙ୍କ ପାଇଁ ବସାକୁ ଘର ବାହାରେ ରଖୁଛନ୍ତି ଅଶୋକ ସେମାନଙ୍କୁ ତାହା ମାଗଣାରେ ଦେଉଛନ୍ତି। ଏହା ବ୍ୟତୀତ ସେ ନାଗପୁରର ବିଭିନ୍ନ ସ୍କୁଲରେ କର୍ମଶାଳାର ଆୟୋଜନ କରି ପିଲାଙ୍କୁ ଘରଚଟିଆ ବସା ତିଆରିର କୌଶଳ ଶିକ୍ଷା ଦେଉଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ଏକ ଏନ୍ଜିଓ ସହଯୋଗ କରୁଛି। ଚଳିତବର୍ଷ ମାର୍ଚ୍ଚ ଶେଷସୁଦ୍ଧା ସେ ନାଗପୁରର ଆଉ ଅଧିକ ୨୦ଟି ସ୍କୁଲରେ ଘରଚଟିଆ ସଂରକ୍ଷଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ପାଇଁ ଯୋଜନା ରଖିଛନ୍ତି।