ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍କାତାଠାରୁ ୭୨ କି.ମି. ଦୂରରେ ଥିବା ୧୨୫୪ ପରିବାରବିଶିଷ୍ଟ ଏହି ଗାଁର ଲୋକସଂଖ୍ୟା ୫୦୮୪। ସମୁଦ୍ର ପାଖ ଏହି ଗାଁର ପାଣିରେ ଲବଣାଂଶ ବଢ଼ିବା ଯୋଗୁ ଜମି ଚାଷ ଉପଯୋଗୀ ନ ହେବାରୁ ସେଠାକାର ଲୋକେ ମାଛଚାଷ କରିବାକୁ ନିଷ୍ପତ୍ତି ନେଲେ ଏବଂ ଏଥିରେ ସଫଳ ମଧ୍ୟ ହୋଇପାରିଛନ୍ତି। ଏଥିରେ ସହଯୋଗ କରିଛି କୋଲ୍କାତାର ଏକ ସଂଗଠନ ଗ୍ରାମ ସମୃଦ୍ଧି ଫାଉଣ୍ଡେଶନ(ଜିଏସ୍ଏଫ୍)। ୨୦୧୪ରୁ ୨୦୨୫ ମଧ୍ୟରେ ପାଖାପାଖି ୨୦୦୦ କ୍ଷୁଦ୍ର ଚାଷୀଙ୍କୁ ଏକାଠି କରି ୨୦ ଫୁଟ ଚଉଡ଼ା, ୨୦ ଫୁଟ ଲମ୍ବ ଓ ୧୦ ଫୁଟ ଗଭୀର ୩୯୦ଟି ଗାଡ଼ିଆ ଖୋଳାଯାଇ ମାଛଚାଷ କରାଯାଉଛି। ପ୍ରତି ପୋଖରୀ ପାଇଁ ଜିଏସ୍ଏଫ୍ ୬ ହଜାର ଟଙ୍କା ଖର୍ଚ୍ଚ କରୁଛି, ଯେଉଁଥିରେ ଜଣେ କୃଷକ କେବଳ ୧୦୦୦ ଟଙ୍କା ଦେଉଛନ୍ତି। ମାଛଚାଷ କରି ଭଲ ରୋଜଗାର କରିବା ଯୋଗୁ ଗାଁ ଛାଡ଼ି ଲୋକେ ଆଉ ବାହାରକୁ ଯାଉନାହାନ୍ତି।

