ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଦେଶରେ ଉଦାହରଣ ସୃଷ୍ଟି କରିଛି ଦକ୍ଷିଣ ଦିଲ୍ଲୀର ନବଜୀବନ ବିହାର। ଏଠାରେ ରହନ୍ତି ୨୫୦ ପରିବାର। ପରିବାରଗୁଡ଼ିକରେ ପ୍ରତିଦିନ ରୋଷେଇଘରୁ ବାହାରୁ ଥିବା ବର୍ଜ୍ୟ ସହ ଅନ୍ୟାନ୍ୟ ଅଦରକାରୀ ଜିନିଷକୁ ପୁନଃ ବ୍ୟବହାର ଯୋଗ୍ୟ କରିପାରୁଛନ୍ତି ଡ. ରୁବି ମୁଖାର୍ଜୀ। ସେ ଟ୍ରିପଲ ଆର୍ ସେଣ୍ଟର ନାମକ ଏନ୍ଜିଓ ଗଠନ କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ପ୍ରତିଦିନ ମିଳୁଥିବା ୨୫୦ କେଜି ରୋଷଘର ବର୍ଜ୍ୟରୁ ଜୈବିକ ଖତ ପ୍ରସ୍ତୁତ ହେଉଛି। ପ୍ଲାଷ୍ଟିକ, କାଗଜ ଓ କାଚ ବର୍ଜ୍ୟକୁ ରିସାଇକେଲ ସେଣ୍ଟରକୁ ପଠାଉଛନ୍ତି ରୁବି। ସେ ୧୭ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ରିସାଇକେଲ ପାଇଁ ପଠାଇ ସାରିଲେଣି। ତେବେ ୬ ବର୍ଷ ଭିତରେ ଏହି କଲୋନିକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରି ସାରିଲେଣି। କଲୋନିର ପରିବାରଗୁଡ଼ିକରୁ ମିଳୁଥିବା ପୁରୁଣା ଲୁଗା, ଫର୍ନିଚର ଏବଂ ଗ୍ୟାସ୍ ସିଲିଣ୍ଡର ସଂଗ୍ରହ କରି ସେ ଲୋକଙ୍କୁ ବାଣ୍ଟି ଦେଉଛନ୍ତି। ଯେ କେହି ଗଲେ ଏବେ ନବଜୀବନ ବିହାର କଲୋନି ବାହାରେ କୌଣସି ସ୍ଥାନରେ ବର୍ଜ୍ୟ ଠୁଳ ହୋଇଥିବା ଦେଖିବାକୁ ପାଇବେ ନାହିଁ। ଏବେସୁଦ୍ଧା ରୁବି କଲୋନିରୁ ମୋଟରେ ୩୦ ଟନ୍ ବର୍ଜ୍ୟ ସଂଗ୍ରହ କରି ସାରିଲେଣି।


