ବିବାହ କର୍ମ ସରିବା ପରେ ନବବଧୂକୁ ସାଙ୍ଗରେ ଧରି ଫେରିଥାଏ ବର। ନବବଧୂ ଶାଶୁ ଘରକୁ ଯାଇ ନୂଆ ସଂସାର ଆରମ୍ଭ କରେ। ହେଲେ ବରକନ୍ୟା ବିଦା ହୋଇ ଶାଶୁଘରକୁ ଫେରିବା ବାଟରେ ନବବଧୂଟି ଅପହରଣ କରାଯାଉଥିବାର ଅଭିଯୋଗ କରିବା କଥା କେବେ ଶୁଣିଛନ୍ତି! ଅଜବ ମନେହେଉଥିଲେ ବି ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବାରାଣସୀର ମିର୍ଜାମୁରାଦ ଅଞ୍ଚଳରେ। ଏହି ଅଞ୍ଚଳରେ ଗତ ଶୁକ୍ରବାର ରାତିରେ ନବବଧୂ ବେଶରେ ଯାଉଥିବା ଜଣେ ଯୁବତୀ ବଡପାଟି କରି ତାଙ୍କୁ ରକ୍ଷା କରିବା ପାଇଁ ଲୋକଙ୍କୁ ଡାକିଥିଲେ। ଏହାପରେ ସେଠାରେ ଲୋକ ରୁଣ୍ଡ ହୋଇ ପୋଲିସକୁ ଖବର ଦେଇଥିଲେ। ତେବେ ପୋଲିସର ଅନୁସନ୍ଧାନ ପରେ ଯାହା ଜଣା ପଡିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଥିଲା। ପ୍ରକୃତରେ ରାଜସ୍ଥାନ ଅଲୱର ଜିଲାର ରାଜଗଡ ଅଞ୍ଚଳର ଭାନୁ ଜାଗା ତାଙ୍କ ଭାଇ ଗିରିଶର ବିବାହ ନିମନ୍ତେ ମଧ୍ୟସ୍ଥ ଥିବା ନନ୍ଦଲାଲ୍ ନାମକ ଜଣେ ବ୍ୟକ୍ତିଙ୍କୁ ୧ ଲକ୍ଷ ୮୦ ହଜାର ଟଙ୍କା ଦେଇଥିଲେ। ଏହାପରେ ସେ ପୂଜା ନାମକ ଜଣେ ଯୁବତୀଙ୍କୁ ଦେଖାଇ ବିବାହ ସ୍ଥିର କରିଥିଲେ। ଶେଷରେ ଗତ ୧୪ ତାରିଖରେ ଏକ ହୋଟେଲରେ ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ ମଧ୍ୟ ହୋଇଥିଲା। ଆଉ ବିବାହ ପରେ କନ୍ୟା ବିଦା ହୋଇ ଗିରିଶଙ୍କ ସହିତ ଯିବା ସମୟରେ ବାଟରେ ନବବଧୂ ପେଟ ଖରାପ ହେବାର ବାହାନା କରି ଗାଡିରୁ ଓହ୍ଲାଇ ପଡିଥିଲେ। ତା’ପରେ ହଠାତ୍ ବଡ଼ ପାଟିରେ ଲୋକଙ୍କୁ ଡାକି ତାଙ୍କୁ ଅପହରଣ କରାଯାଉଛି ବୋଲି କହିଥିଲେ। ଟଙ୍କା ଲୋଭରେ ଯୁବତୀଜଣକ ସମ୍ପୃକ୍ତ ମଧ୍ୟସ୍ଥ ସହିତ ମିଶି ଏଭଳି ଲୋକଙ୍କୁ ଠକି ଆସୁଥିବା ଜଣାପଡ଼ିଛି।


