ଶିକ୍ଷାଦାନ ବ୍ୟତୀତ ସ୍କୁଲର ପାରିପାର୍ଶ୍ୱିକ ପରିବେଶରେ ଉନ୍ନତି କରି ଅନ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଛନ୍ତି ମଧ୍ୟପ୍ରଦେଶର ଗୋପାଳ ଭାଲଓ୍ବାଲ। ସେ ରାଜଗଡ଼ର ମୋହନପୁର କଲୋନିରେ ଥିବା ସରକାରୀ ସମନ୍ବିତ ମଧ୍ୟ ଇଂରାଜୀ ସ୍କୁଲରେ ଶିକ୍ଷକ ଅଛନ୍ତି। ପ୍ରତିଦିନ ସ୍କୁଲରେ ଶିକ୍ଷାଦାନ କରିବା ସହ ସ୍କୁଲର ସାମଗ୍ରିକ ବିକାଶ କରିବାକୁ ସକ୍ଷମ ହୋଇଛନ୍ତି। ୨୦୧୮ରେ ଏହି ସ୍କୁଲ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଏଠାକୁ ଅଧିକ ପିଲା ଆସୁ ନ ଥିଲେ। ସ୍କୁଲରେ ମୋଟ ୨୩ ପିଲା ଥିଲେ। ସ୍କୁଲର ସ୍ଥିତି ମଧ୍ୟ ଅତ୍ୟନ୍ତ ଖରାପ ଥିଲା। ଶ୍ରେଣୀ ଗୃହ ଅନ୍ଧାରିଆ ରହୁଥିଲା। ତେବେ ତାହାକୁ ଆକର୍ଷଣୀୟ କରିବା ସକାଶେ ଭାଲଓ୍ବାଲ ସରକାରୀ ଅନୁଦାନକୁ ଅପେକ୍ଷା ନ କରି ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ସ୍କୁଲରେ ରଙ୍ଗ ଦେଇଛନ୍ତି । ଏହାବ୍ୟତୀତ ଏକ ବଗିଚା କରିବା ସହ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି। ସେ ମଧ୍ୟ ଏକ ଲାଇବ୍ରେରି କରିଛନ୍ତି ଓ ଏଥିରେ ୨,୦୦୦ରୁ ଅଧିକ ବହି ଅଛି। ଭାଲଓ୍ବାଲଙ୍କ ଚେଷ୍ଟାରେ ସ୍କୁଲରେ ଏବେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦୦ରେ ପହଞ୍ଚିଲାଣି। ଏସବୁ କାର୍ଯ୍ୟ ଶେଷ କରି ବର୍ତ୍ତମାନ ସ୍କୁଲରେ ବିଭିନ୍ନ ଆଧୁନିକ ଶିକ୍ଷା ଉପକରଣ ଆଣିବାକୁ ସେ ଯୋଜନା କରିଛନ୍ତି।


