ଜଣଙ୍କ ନାମରେ କାର୍ଯ୍ୟାଦେଶ, ଆଉ ଜଣଙ୍କୁ କିସ୍ତି

ଆନନ୍ଦପୁର(ସନ୍ତୋଷ ରାଉତ)/କଣ୍ଟିପାଳ(ସୁଶାନ୍ତ ସାହୁ),୧୦ା୭: କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ଆବାସ କାର୍ଯ୍ୟାଦେଶକୁ ନେଇ ସବୁ ସମୟରେ ଚର୍ଚ୍ଚା ଲାଗି ରହିଛି। ନିକଟରେ ମୋଚିନ୍ଦା ପଞ୍ଚାୟତର ହିତାଧିକାରୀ ପ୍ରଭାତ କୁମାର ସାହୁଙ୍କୁ ଆବାସ କାର୍ଯ୍ୟାଦେଶ ମିଳିଥିଲେ ସୁଦ୍ଧା ଦୀର୍ଘ ୧୫ ଦିନ ପରେ ବି ତାଙ୍କୁ ପ୍ରଥମ କିସ୍ତି ମିଳିପାରି ନାହିଁ। ଘଟଣାକୁ ନେଇ ହିତାଧିକାରୀଙ୍କ ବାପା ଆନନ୍ଦ କୁମାର ସାହୁ ଅଧିକାରୀଙ୍କୁ ପଚାରାଉଚରା କରିଥିଲେ ବି ପାଲଟା ଧମକ ମିଳିଥିଲା। ଏ ନେଇ ହିତାଧିକାରୀ ଉପଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏବେ ପୁଣି ଆବାସ କାର୍ଯ୍ୟାଦେଶକୁ ନେଇ ଆଉ ଏକ ଖବର ଚର୍ଚ୍ଚାକୁ ଆସିଛି। କଣ୍ଟିପାଳ ପଞ୍ଚାୟତରେ ଜଣଙ୍କ ନାମରେ କାର୍ଯ୍ୟାଦେଶ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ପ୍ରଥମ କିସ୍ତି ମିଳିଛି।
ସୂଚନା ଅନୁଯାୟୀ, କଣ୍ଟିପାଳ ପଞ୍ଚାୟତ ବିରିଡ଼ିହା ଗ୍ରାମର କଲ୍ୟାଣୀ ଜେନାଙ୍କୁ କାର୍ଯ୍ୟାଦେଶ ସଂଖ୍ୟା ଓଡି/୦୩/୦୦୮/୪୨୬୫/୨୧-୨୨ରେ ୧୯ଜୁନ୍‌ ୨୦୨୩ରେ କାର୍ଯ୍ୟାଦେଶ ମିଳିଛି। ହେଲେ ତାଙ୍କର ପ୍ରଥମ କିସ୍ତି ବ୍ୟାଙ୍କ ଜମାଖାତାକୁ ଆସି ନ ଥିବା ସେ ଅଭିଯୋଗ କରିଛନ୍ତି। ହେଲେ ସେହି ସମାନ ଗାଁ ଓ ସମାନ ନାମରେ ଅନ୍ୟଜଣଙ୍କ ଜମାଖାତାକୁ ପ୍ରଥମ କିସ୍ତି ଆସିଥିବା ଘଟଣା ଚର୍ଚ୍ଚାକୁ ଆସିଛି। ତେବେ ତାଙ୍କୁ କାର୍ଯ୍ୟାଦେଶ ଦିଆଯାଇ ନ ଥିବାବେଳେ କିସ୍ତି ଟଙ୍କା ଆସିବା ଏବେ ପ୍ରକୃତ ହିତାଧିକାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। କାର୍ଯ୍ୟାଦେଶ ପାଇଥିବା କଲ୍ୟାଣୀଙ୍କୁ ପ୍ରଥମ କିସ୍ତି ଅର୍ଥ କେବେ ମିଳିବ ବୋଲି ଶଙ୍କା ପ୍ରକାଶ ପାଇଛି। ଉପଜିଲାପାଳ ଅନିଲ କୁମାର ସେଠୀ କହିଛନ୍ତି, ପ୍ରଥମ ଅଭିଯୋଗ ପାଇଛି। କେମିତି ସମସ୍ୟାର ସମାଧାନ ହେବ ବିଡିଓଙ୍କ ସହ ଆଲୋଚନା ହୋଇଛି। ବର୍ତ୍ତମାନ ଘଟଣାରେ ଆକାଉଣ୍ଟରେ କୌଣସି ସମସ୍ୟା କାରଣରୁ ଟଙ୍କା ଭୁଲରେ ଅନ୍ୟଜଣଙ୍କ ପାଖକୁ ପଳାଇଥିବ। ଏହାର ତଦନ୍ତ ପରେ ପ୍ରକୃତ ହିତାଧିକାରୀଙ୍କୁ କିସ୍ତି ଦିଆଯିବ।