Categories: ଫୁରସତ

ମରୁଭୂମିରେ ଥିଲା ମୁଭି ଟିଏଟର୍‌

ପ୍ରାଚୀନ କାଳରୁ ମଣିଷ ଏମିତି କିଛି କାରିଗରି ଓ ନିର୍ମାଣ କରି ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଥାଏ। ସେଥିମଧ୍ୟରୁ କିଛି ଭାରି ରହସ୍ୟମୟ ମଧ୍ୟ ଲାଗେ। ସେମିତି ଏକ ବିସ୍ମୟକର ନିର୍ମାଣ ହେଉଛି ମରୁଭୂମିରେ ଥିବା ଏକ ମୁଭି ଥିଏଟର। ସାରା ପୃଥିବୀରେ ଅନେକ ମୁଭି ଥିଏଟର୍‌ ଅଛି। ହେଲେ ଏହା ସମ୍ପୂର୍ଣ୍ଣ ଅଲଗା। କାରଣ ଏହାକୁ ମିସରର ସିନାଇ ଦ୍ୱୀପର ଦକ୍ଷିଣରେ ଥିବା ମରୁଭୂମି ମଝିରେ ତିଆରି କରାଯାଇଥିଲା। ଏହା ଏକ ଖୋଲା ମୁଭିଥିଏଟର୍‌। ମରୁଭୂମି ମଝିରେ ଏପରି ମୁଭିଥିଏଟର ସମସ୍ତଙ୍କୁ ବେଶ୍‌ ଅଜବ ଲାଗେ। ତେବେ ଏହାର ଏକ ଖାସ୍‌ କଥା ହେଉଛି ଏହାକୁ ତିଆରି କରାଯାଇଛି ସତ, ହେଲେ ଏଥିରେ କେବେ କୌଣସି ମୁଭି ପ୍ରଦର୍ଶିତ ହୋଇନାହିଁ। କେବଳ ଏହାକୁ ତିଆରି କରି ଛାଡ଼ି ଦିଆଯାଇଛି, ଯାହା କି ବର୍ଷ ବର୍ଷ ଧରି ବ୍ୟବହାର ନ ହେବାରୁ ଧ୍ୱଂସାଭିମୁଖୀ ହୋଇଗଲାଣି। ଏଠି ଆଜି ବି ଦର୍ଶକଙ୍କ ପାଇଁ ଥିବା ଚେୟାର ଧାଡ଼ି ଧାଡ଼ି ହୋଇ ଥିବାର ଦେଖିବାକୁ ମିଳେ। କୁହାଯାଏ ଏହାକୁ ଫ୍ରାନ୍ସର ଜଣେ ବ୍ୟକ୍ତି ତିଆରି କରିଥିଲେ। ଏହି ବ୍ୟକ୍ତିଙ୍କ ପାଖରେ ଅପାର ଧନ ଥିଲା, ଯାହାକୁ ସେ ବର୍‌ବାଦ କରିବାକୁ ଚାହୁଁଥିଲା। ଦିନେ ସେ ନିଜ ସାଙ୍ଗମାନଙ୍କ ସହ ସିନାଇ ମରୁଭୂମି ବୁଲିଯାଇଥିଲେ। ତାଙ୍କୁ ଅନୁଭୂତ ହେଲା ଏହି ଖାଲି ମରୁଭୂମି ଭିତରେ ଏକ ମୁଭିଟିଏଟର ହେଲେ ଭଲ ଲାଗିବ। ତେଣୁ ସେ କାଇରୋରୁ ଶହ ଶହ ଚେୟାର, ଏକ ଜେନେରେଟର ଓ ଏକ ବଡ଼ ସ୍କ୍ରିନ୍‌ ଆଣି ଏଠାରେ ଉକ୍ତ ଥିଏଟର୍‌ ତିଆରି କରାଇଥିଲେ। ଥିଏଟର୍‌ ଓପନିଂ ପାଇଁ ସବୁ ପ୍ରସ୍ତୁତି ସରି ଥିଲା। ହେଲେ ସ୍ଥାନୀୟ ଲୋକେ ଏହାକୁ ପସନ୍ଦ କଲେ ନାହିଁ। ଆଉ ସେମାନେ ଜେନେରେଟରକୁ ଭାଙ୍ଗିଦେଲେ। ତେଣୁ ସେବେଠାରୁ ଏଠାରେ କୌଣସି ମୁଭି ପ୍ରଦର୍ଶିତ ହୋଇନାହିଁ।

Share