ଭଙ୍ଗା ଆଜ୍‌ବେଷ୍ଟସ ଶ୍ରେଣୀ ଗୃହରେ ଚାଲିଛି ପାଠପଢ଼ା

ନାଉଗାଁ,୬।୭(ସ୍ବ.ପ୍ର): ବିଦ୍ୟାଳୟଗୁଡିକୁ ସରସ, ସୁନ୍ଦର କରିବା ସହ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। କିନ୍ତୁ ଏସବୁ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ତାହାର ବାସ୍ତବ ଚିତ୍ର ନାଉଗାଁ ବ୍ଲକ ଅନ୍ତର୍ଗତ ଗଙ୍ଗଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟ ଗଙ୍ଗଦା ବଜାରର ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱରେ ରହିଛି। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୩ ଜଣ ପିଲା ପାଠ ପଢନ୍ତି। ଏଠାରେ ୮ଟି ଶ୍ରେଣୀକୁ ଆବଶ୍ୟକ ଗୃହ ନ ଥିବା ଜଣାପଡ଼ିଛି। ଏଥିଯୋଗୁ ପିଲାମାନେ ଭଙ୍ଗା ଆଜବେଷ୍ଟସ ଗୃହରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା ମୁତାବକ, ବିଦ୍ୟାଳୟ ପରିସରରେ ଏକ ଦୁଇ ମହଲା ବିଶିଷ୍ଟ କୋଠା ରହିଛି, ତାହା ଦୀର୍ଘଦିନ ହେବ ନିର୍ମିତ ହୋଇଥିଲା। ଏବେ ଏହା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ ଉକ୍ତ ଗୃହରେ ପିଲାଙ୍କୁ ପାଠ ପଢାଇବା ନିରାପଦ ନୁହେଁ। ଗୃହ ଅଭାବରୁ ବର୍ତ୍ତମାନ ୪ ଟି କୋଠରିରେ ୮ଟି କ୍ଳାସ ଚାଲୁଛି। ଗୋଟିଏ ଘରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲା ବସୁଥିବାବେଳେ ଅନ୍ୟ ଗୃହରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲା ପଢ଼ୁଛନ୍ତି। ଅନ୍ୟ ୨ଟି ଗୃହରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲା ବସୁଛନ୍ତି। ଏସବୁ ଶ୍ରେଣୀଗୃହଗୁଡିକ ଭଙ୍ଗା ଆଜ୍‌ବେଷ୍ଟସ ଗୃହରେ ଚାଲିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ଗୃହରେ ୪ର୍ଥ ଓ ୫ମ ଶ୍ରେଣୀ ପିଲା ପାଠ ପଢ଼ୁଛନ୍ତି କୋଭିଡ ସମୟରେ ଉକ୍ତ ଗୃହ ମଧ୍ୟରେ ୩ ପାଇଖାନା ନିର୍ମାଣ କରାଯାଇଥିଲା। କୋଭିଡ ସଂକ୍ରମିତମାନେ ଉକ୍ତ ପାଇଖାନା ବ୍ୟବହାର କରୁଥିଲେ। ଏବେ ସେଠାରେ ପିଲାଙ୍କୁ ପାଠ ପଢ଼ାଯାଉଛି। ସରକାରଙ୍କ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ପରିବେଶକୁ ସୁନ୍ଦର କରାଯିବା ସହ ପିଲାମାନଙ୍କ ପାଇଁ ଶୌଚାଳୟ, ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର ଓ ହାତ ଧୋଇବା ପାଇଁ ପାଣି ଟ୍ୟାପ ଓ ବିଶୁଦ୍ଧ ପାନୀୟ ଜଳ ଯୋଗଣା ପାଇଁ ନିୟମ କରାଯାଇଛି। କିନ୍ତୁ ଏହି ବିଦ୍ୟାଳୟରେ ଏସବୁ ଦେଖିବାକୁ ମିଳେନାହିଁ। ଉକ୍ତ ବିଦ୍ୟାଳୟ ପାଇଁ ତୁରନ୍ତ ଶ୍ରେଣୀ ଗୃହ କରାଯିବା ସହ ପିଲାମାନଙ୍କ ପାଇଁ ବିଭିନ୍ନ ସୁବିଧା ଯୋଗାଇ ଦେବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି। ଏସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଖୁଲଣା ଦାସ କହିଛନ୍ତି, ବିଦ୍ୟାଳୟର ଗୃହ ନ ଥିବା ସମ୍ପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଛି। ସେଠାରୁ ନିର୍ଦ୍ଦେଶ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।