ଶ୍ରାବଣରେ ଜମି ଶୁଖିଲା, ଚିନ୍ତାରେ ଚାଷୀ

କୋଲାବିରା,୨୨ା୭(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା କୋଲାବିରା ବ୍ଲକ ଅଞ୍ଚଳରେ ବର୍ଷା ଅଭାବରୁ ଚାଷକାର୍ଯ୍ୟ ଆଗେଇପାରୁ ନାହିଁ। ଏହାକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବରୁ ସୂଚନା ଦେଇଥିଲା। ଏହାକୁ ନେଇ ଅଞ୍ଚଳର ଚାଷୀମାନେ ଉତ୍ସାହିତ ହୋଇଥିଲେ। ହେଲେ ଜୁନ ମାସରେ ଆଶାନୁରୂପ ବର୍ଷା ହେଲା ନାହିଁ। କେବଳ ଲଘୁଚାପ ବର୍ଷା କେତେକ ସ୍ଥାନରେ ହୋଇଥିଲା। ହେଲେ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସ୍ବଳ୍ପ ବର୍ଷା ଚାଷକାର୍ଯ୍ୟରେ ବାଧା ସୃଷ୍ଟି କରିଥିଲା।

ଏପରି କି ଜୁଲାଇ ପ୍ରଥମ ସପ୍ତାହରେ କେତେକ ସ୍ଥାନରେ ଭଲ ବୃଷ୍ଟିପାତ ହୋଇଥିଲା। ଏହାକୁ ଭରସା କରି ଚାଷୀ ଖରିଫ ଚାଷ ପାଇଁ ଅଣ୍ଟା ଭିଡିଥିଲା। ଦେଖିବାକୁ ଗଲେ ଅଣଜଳସେଚିତ ଅଞ୍ଚଳରେ ଧାନ ବୁଣାରେ ପ୍ରାୟ ଦୁଇମାସ ବିଳମ୍ବ ହୋଇଛି। ଜୁଲାଇରେ ନାମକୁମାତ୍ର ବର୍ଷା ହେବାରୁ ବ୍ଲକ ଅଞ୍ଚଳର ଚାଷୀମାନେ ଚାଷ କାମ ଆଗେଇ ପାରିନାହାନ୍ତି। ଜୁନ ୧୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର କେଇ ଅସରା ବର୍ଷା ହୋଇଥିବାରୁ ବିଲରେ ପାଣି ନାହିଁ। ଉଚ୍ଚ ଚାଷ ଜମି ଶୁଖିଲା ପଡିଛି। ଚାଷୀମାନେ ଧାନ ରୋଇବା ପାଇଁ ତଳି ପକାଇଥିଲେ। ତଳି ମଧ୍ୟ ହୋଇଯାଇଥିବା ବେଳେ ବର୍ତ୍ତମାନ ସ୍ବଳ୍ପ ବୃଷ୍ଟି ଯୋଗୁ ତାହା ଅନୁପଯୋଗୀ ହେବାକୁ ବସିଲାଣି ।