ସାମାନ୍ୟ ବର୍ଷାରେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି

ବେଗୁନିଆପଡ଼ା,୨ା୭(ସୁଶାନ୍ତ କୁମାର ପଟ୍ଟନାୟକ): ମାତ୍ର ଅଧଘଣ୍ଟାଏ ବର୍ଷାରେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି। ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଦିଗାପଡ଼ା ପଞ୍ଚାୟତର ଜେ ଛଚିନାରେ ରବିବାର ଅପରାହ୍ନରେ ସାମାନ୍ୟ ବର୍ଷା ପରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପଯୁକ୍ତ ବ୍ୟବସ୍ଥା, ଡ୍ରେନେଜ ସିଷ୍ଟମ ନ ଥିବାରୁ ଦୀର୍ଘ ୧୦ ବର୍ଷରୁ ଊଦ୍ଧର୍‌ବ ସମୟ ହେବ ଜେ ଛଚିନା ଗାଁ ଦାଣ୍ଡ ଜଳବନ୍ଦୀ ହୋଇଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ସୂଚନାନୁସାରେ ଜେ ଛଚିନା ଗ୍ରାମର ମୁଖ୍ୟ ଦାଣ୍ଡର ଦୀର୍ଘ ୧୫୦ ମିଟରରୁ ଅଧିକ ରାସ୍ତା ବର୍ଷା ହେଲେ ଆଣ୍ଠୁଏ ପାଣି ଜମି ରହୁଛି। ଗାଁରେ ରାସ୍ତା ଘରଗୁଡିକ ଉଚ୍ଚତାରେ ରହିଛି। ସେପଟେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହଁ। ଗୋଟିଏ ପଟେ ଗାଁ ରାସ୍ତା ତିଆରି ହେଉ ନ ଥିବା ବେଳେ ଏବେ ସାମାନ୍ୟ ବର୍ଷାରେ ପାଣି ଜମି ରହି ଗାଁରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷାଦିନ ନିକଟ ହୋଇ ଯାଇଥିବା ବେଳେ ଏବେ ଏଭଳି ପରିସ୍ଥିତିକୁ ନେଇ ଚିନ୍ତାରେ ଗ୍ରାମବାସୀ। ପୂର୍ବରୁ ଏନେଇ ସ୍ଥାନୀୟ ସରପଞ୍ଚଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ଏବେ ଦାବି କରିଛନ୍ତି ଜେ ଛଚିନା ଗ୍ରାମବାସୀ।