ପାଟନା, ୨୭।୧: ବିହାରର ନାଳନ୍ଦା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଗର୍ଭବତୀ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଥିବା ନେଇ ଅଭିଯୋଗ ହୋଇଛି। ଶ୍ୱଶୁର ଘର ଲୋକଙ୍କ ନାଁରେ ଅଭିଯୋଗ ହୋଇଥିବା ବେଳେ ସେମାନେ ଫେରାର ଥିବା ଜଣାପଡ଼ିଛି । ଏହି ଘଟଣା ଥରଥାରି ଥାନା ଅଞ୍ଚଳ ଅନ୍ତର୍ଗତ ମେହେତରମା ଗାଁରେ ଘଟିଛି। ରିପୋର୍ଟ ଅନୁସାରେ, ସୁନା ଚେନ୍ ନପାଇବାରୁ ଶ୍ୱଶୁର ଘର ଲୋକେ ରାଗି ଯାଇଥିଲେ । ଏହାପରେ ଏହି କାଣ୍ଡ ଭିଆଇଥିବା ନେଇ ଅଭିଯୋଗ ହୋଇଛି ।
ମୃତକଙ୍କ ମାତୃ ପରିବାର ଅଭିଯୋଗ କରିଛନ୍ତି ଯେ ସ୍ତୁତି କୁମାରୀଙ୍କ ବିବାହ ନଅ ମାସ ପୂର୍ବରୁ ମେହେତରମା ଗ୍ରାମର ନିବାସୀ ଚିଣ୍ଟୁ କୁମାର ଓରଫ ମଣିକାନ୍ତଙ୍କ ସହ ହୋଇଥିଲା। ବିବାହ ସମୟରେ ସୁନା ଚେନ୍ ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ସୁନା ଚେନ୍ ନ ଦେବାରୁ ମହିଳାଙ୍କୁ ନିର୍ଯାତନା ଦିଆଯାଇଥିଲା। କିଛି ଦିନ ପୂର୍ବରୁ ଗର୍ଭବତୀ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ମଧ୍ୟ ଆକ୍ରମଣ କରିଥିଲେ । ଦୁଇ ମାସର ଗର୍ଭବତୀ ସ୍ତୁତି କୁମାରୀଙ୍କୁ ପ୍ରଥମେ ଆକ୍ରମଣ କରାଯାଇଥିଲା, ତା’ପରେ ତାଙ୍କ ଉପରେ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ସମସ୍ତ ଶ୍ୱଶୁର ଘର ଲୋକ ଫେରାର ହୋଇଯଆଇଥିଲେ ।
ପୋଲିସ ଗର୍ଭବତୀ ମହିଳାଙ୍କ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ମଡେଲ ହସ୍ପିଟାଲକୁ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ହିଲସା ଡିଏସ୍ପି ଶୈଳଜା କୁମାରୀଙ୍କ ଏକ ବୟାନ ମଧ୍ୟ ସାମ୍ନାକୁ ଆସିଛି।ହିଲସା ଡିଏସ୍ପି ଶୈଳଜା କୁମାରୀ କହିଛନ୍ତି ଯେ ସ୍ତୁତି କୁମାରୀଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ପୋଡ଼ି ହତ୍ୟା କରିଥିବା ସୂଚନା ମିଳିଛି। ଏଫଏସଏଲ ଦଳକୁ ଡକାଯାଇଛି ଏବଂ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଉଛି। ଝିଅର ବାପାଙ୍କ ଅଭିଯୋଗ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

