ଅଳ୍ପ ଦିନରେ ବିଗ୍‌ବସ୍‌ରୁ ୨ କୋଟି ୨୫ ଲକ୍ଷ ଟଙ୍କା କମାଇଥିଲେ ଏହି ଅଭିନେତ୍ରୀ

ବିଗ ବସ୍‌ ସିଜନ ୯ର ପ୍ରତିଯୋଗୀ ବଲିଉଡ ଅଭିନେତ୍ରୀ ରିମି ସେନ୍‌ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଶୋ’ରେ ତାଙ୍କର ପ୍ରବେଶକୁ ନେଇ ଅନେକ ଖୁଲାସା କରିଛନ୍ତି। ୫୦ ଦିନ ଧରି ବିଗ ବସ୍‌ ଘରକୁ ଯାତ୍ରା କରିଥିବା ଏହି ଅଭିନେତ୍ରୀ ଜଣାଇଛନ୍ତି ଯେ, ସେ ଶୋ’କୁ ଯିବାକୁ କାହିଁକି ରାଜି ହୋଇଥିଲେ? ସେ ସମୟରେ ହୋଷ୍ଟ ସଲମାନ ଖାନ ଅନେକ ଥର କହିଥିଲେ, ରିମିଙ୍କର ଏହି ଶୋ ଏବଂ ଗେମ୍‌ ପ୍ରତି କୌଣସି ବିଶେଷ ଆଗ୍ରହ ନ ଥିଲା । ତାଙ୍କର ପ୍ରଦର୍ଶନ ଏତେ ବିଶେଷ ଭଲ ନଥିଲା ଯେ ସେ ଟ୍ରଫି ଯର୍ପ୍ୟନ୍ତ ପହଞ୍ଚି ପାରିବେ। ଏଭଳି ପରିସ୍ଥିତିରେ ସେ ନିଜେ ପ୍ରକାଶ କରିଛନ୍ତି ଯେ, ସେ କାହିଁକି ବିଗ ବସ୍‌ ଯିବାକୁ ନିଷ୍ପତ୍ତି ନେଇଥିଲେ।
ରିମି ତାଙ୍କର ଏକ ସାକ୍ଷାତକାରରେ ଅନେକ କିଛି କହିଛନ୍ତି। ବିଗ ବସ୍‌ର ଅଂଶ ହୋଇଥିବାରୁ ଅନୁତାପ କରୁଛନ୍ତି କି? ଏପରି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଏହି ଶୋ ତାଙ୍କ ଆଖି ଖୋଲି ଦେଇଥିଲା। ଶୋ’ର ଅଂଶ ହେବା ପରେ ମୋର କୌଣସି ଦୁଃଖ ନାହିଁ, କାରଣ ନିର୍ମାତାମାନେ ମୋତେ ୫୦ ଦିନ ପାଇଁ ୨ କୋଟି ୨୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଶୋ’କୁ ଯିବାର ମୋର ପ୍ରଥମ ଉଦ୍ଦେଶ୍ୟ ଥିଲା ଟଙ୍କା। ମୁଁ କେବଳ ଏଥିପାଇଁ ରାଜି ହେଲି। କାରଣ ଶୋ ମୋତେ ପ୍ରଚୁର ପରିମାଣର ଟଙ୍କା ଦେଇଥିଲା। ଏତେ କମ ସମୟ ମଧ୍ୟରେ କେହି ଏତେ ଟଙ୍କା ଦିଅନ୍ତି ନାହିଁ । ଆହୁରି ମଧ୍ୟ ସେ କହିଛନ୍ତି, ଏଥି ସହ ଅନେକ କାରଣ ଅଛି ଯେଉଁଥିପାଇଁ ମୁଁ ଶୋ’କୁ ଯାଇଥିଲି। ମୁଁ ମଧ୍ୟ ନିଜକୁ ପରୀକ୍ଷା କରିବାକୁ ଚାହୁଁଥିଲି। ମୁଁ ଦେଖିବାକୁ ଚାହୁଁଥିଲି ଯେ, ମୁଁ କିପରି ଏକ କଠିନ ପରିସ୍ଥିତିରେ ନିଜକୁ ପରିଚାଳନା କରିପାରୁଛି।

Share