ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ ରହୁଛନ୍ତି ଗେଝାରେ ଏବଂ ଏହା ଆଖପାଖର ୮ଟି ଗାଁର ପିଲାଙ୍କୁ ଖେଳ ଶିଖାଉଛନ୍ତି। ଏବେସୁଦ୍ଧା ଏହି ଏକାଡେମୀରୁ ୩,୦୦୦ରୁ ଅଧିକ ପିଲା ପ୍ରଶିକ୍ଷଣ ନେଇ ସାରିଲେଣି। ୭ରୁ ୧୪ ବର୍ଷ ବୟସ ମଧ୍ୟରେ ପିଲାମାନେ ଖେଳ ଶିଖୁଛନ୍ତି। ଏହି ପ୍ରଶିକ୍ଷଣ କେନ୍ଦ୍ରରୁ ଖେଳ ଶିଖି ଅନେକେ ଜାତୀୟ ସ୍ତରରେ ବିଭିନ୍ନ ବୟସ ବର୍ଗରେ ପ୍ରତିନିଧିତ୍ତ୍ୱ କରି ସଫଳତା ପାଇଛନ୍ତି। ପ୍ରଦ୍ୟୋତ ସ୍କୁଲ ଓ କଲେଜ ସ୍ତରରେ ବିଭିନ୍ନ ଟୁର୍ନାମେଣ୍ଟରେ ଭାଗନେଇ କୃତିତ୍ୱ ହାସଲ କରିଥିଲେ। ତେବେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଚାକିରି ନ କରି ଆମେରିକା ଫ୍ଲୋରିଡାର ଇଲେଭ-୮ ସ୍ପୋଷ୍ଟ୍ସି ଇନ୍ଷ୍ଟିଚ୍ୟୁଟରେ ୨ ମାସ ପାଇଁ ପ୍ରଶିକ୍ଷଣ ନେବା ପରେ ଭାରତ ଫେରି ୨୦୧୫ରେ ଡ୍ରିବଲ ଏକାଡେମୀ ଗଠନ କରି ପିଲାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ଏବେ ସେଠାରେ ୪୫୦ରୁ ୫୦୦ ପିଲା ପ୍ରଶିକ୍ଷଣ ନେଉଛନ୍ତି। ପ୍ରତିଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୮ଟା ଯାଏ ଏହି କାର୍ଯ୍ୟକ୍ରମ ଚାଲୁଛି। ପ୍ରଦ୍ୟୋତ ଏତିକିରେ ଅଟକି ଯାଇ ନାହାନ୍ତି, ବରଂ ସେ ନୋଏଡାର ୬ଟି ସରକାରୀ ସ୍କୁଲ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ସମ୍ବଲ ତହସିଲର ଦୁଇଟିି ଗାଁର ପିଲାଙ୍କୁ ବାସ୍କେଟ ବଲ ପ୍ରଶିକ୍ଷଣ ଦେବା ଲାଗି ସମୟ ଦେଉଛନ୍ତି। ପ୍ରଦ୍ୟୋତ କୋନ ବନେଗା କରୋଡପତିରେ ୨୫ ଲକ୍ଷ ଟଙ୍କା ଜିତି ତାହାକୁ ଏହି ଏକାଡେମୀର ବିକାଶ ଲାଗି ବ୍ୟୟ କରିଛନ୍ତି। ଆଗାମୀ ୧୦ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ୧୦୦ଟି ଗାଁରେ ଚଳାଇବା ଲାଗି ସେ ଯୋଜନା କରିଛନ୍ତି। କେବଳ ଖେଳ ନୁହେଁ, ସେଠାରେ ଶିକ୍ଷା ତଥା ଜୀବନ ଜିଇବା କୌଶଳ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି।