ଲକ୍ଷେ ଦେଲେ ଗାଁରେ ମିଶିବେ ପରିବାର

ଛତ୍ରପୁର,୧୭ା୬(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ ଗୋଟିଏ ପରେ ଗୋଟିଏ ସାମାଜିକ ବାସନ୍ଦ ଘଟଣା ପଦାକୁ ଆସିବାରେ ଲାଗିଛି। ବିଶେଷକରି ଛତ୍ରପୁର ନିର୍ବାଚନମଣ୍ଡଳୀରେ ଗତ ଦେଢମାସ ହେଲା ଏପରି ଅଭିଯୋଗ ଆସୁଛି। ୧୧ ବର୍ଷ ହେଲା ଏକ ପରିବାର ବାସନ୍ଦ ହୋଇଛନ୍ତି। ଗାଁରେ ମିଶିବାକୁ ହେଲେ ୧ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ତାଙ୍କୁ କୁହାଯାଇଛି। ସମ୍ପୃକ୍ତ ପରିବାର ନ୍ୟାୟ ପାଇଁ ଗୁରୁବାର ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପ୍ରକାଶ ଯେ, ଚମାଖଣ୍ଡି ଥାନା ଅଧୀନ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଆଗ୍ରାହାରାମ ଗାଁର ବି.ରମେଶ ପାତ୍ରଙ୍କୁ ବାସନ୍ଦ କରାଯାଇଛି। ୨୦୧୧ରେ ହୋଇଥିବା ମରୁଡି ସର୍ଭେ ପାଇଁ ସ୍ଥାନୀୟ ଆର୍‌ଆଇ ଗାଁକୁ ଆସିଥିଲେ। ରମେଶଙ୍କ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ତାଲିକାରୁ ତାଙ୍କ ନାଁ କଟାଯାଇଥିଲା। ଏହାକୁ ବିରୋଧ କରିବାରୁ ଗାଁ ଲୋକଙ୍କ ରୋଷର ଶିକାର ହୋଇଥିଲେ। ଗାଁ କମିଟି ନିଷ୍ପତ୍ତି ପ୍ରକାରେ ସେବେଠୁ ତାଙ୍କ ପରିବାରକୁ ବାସନ୍ଦ କରାଯାଇଥିଲା। ଚମାଖଣ୍ଡି ଥାନା ପୋଲିସର ହସ୍ତକ୍ଷେପ ପରେ ଗତ ମେ ୨୧ ତାରିଖରେ ବାସନ୍ଦ ଉଠିଥିଲା। ପୁଣି ଗତ ୧୦ ତାରିଖରେ ଗାଁରେ ମାଇକ ଯୋଗେ ପ୍ରଚାର କରି ପରିବାରକୁ ବାସନ୍ଦ କରାଯାଇଛି। ୧ ଲକ୍ଷ ଟଙ୍କା ଦେଲେ ଗାଁରେ ମିଶାଯିବ ବୋଲି କୁହାଯାଇଥିବା ରମେଶ ଓ ତାଙ୍କ ପରିବାର ଲୋକେ ଛତ୍ରପୁର ଆସି ଗଞ୍ଜାମ ଏସ୍‌ପିଙ୍କୁ ଜଣାଇଛନ୍ତି। ଗାଁରେ ପରିବାରକୁ ମିଶାଇବା ବ୍ୟବସ୍ଥା କରିବା ସହ ଦୋଷୀଙ୍କୁ ଦଣ୍ଡ ଦେବାକୁ ରମେଶ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଦୀର୍ଘଦିନ ତଳୁ କେତେକ ପରିବାର ଗାଁରେ ନିର୍ଯାତିତ ହେଉଥିଲେ ମଧ୍ୟ ଭୟରେ ଏସ୍‌ପି କିମ୍ବା ଜିଲାପାଳଙ୍କୁ ଜଣାଇବାକୁ ଆସୁ ନ ଥିଲେ। ଗଞ୍ଜାମ ବ୍ଲକ ବୋରିଗାଁର ବାଦଲ ସାହୁ ନ୍ୟାୟ ନ ପାଇ ନିରାଶ ହୋଇ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଆମତ୍ାହୁତି ଦେବା ଘଟଣା ପରେ ଗୋଟିଏ ପରେ ଗୋଟିଏ ବାସନ୍ଦ ପରିବାର ପୋଲିସ, ପ୍ରଶାସନକୁ ଅଭିଯୋଗ କରିବାକୁ ଆସୁଛନ୍ତି।