ଗଞ୍ଜାମରେ ୨୫,୧୦୬ ଜଣଙ୍କୁ କୋଭିଡ୍‌ ଟିକା

ଛତ୍ରପୁର,୧୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଚଳିତମାସ ୧୬ ତାରିଖ ଠାରୁ କୋଭିଡ୍‌ ଟିକା ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ପଞ୍ଜୀକରଣ ହୋଇଥିବା ୨୫,୧୦୬ ଜଣଙ୍କୁ ଏହି କୋଭିଡ୍‌ ଟିକା ପ୍ରଦାନ ନିମନ୍ତେ ୧୧ଟି କୋଭିଡ୍‌ ଟିକା ପ୍ରଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ସେଥିନେଇ ପ୍ରଶାସନ ପକ୍ଷରୁ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ପ୍ରକାର ଆଶୁ ବ୍ୟବସ୍ଥା ହୋଇଛି। ଏହାର ପ୍ରସ୍ତୁତି ଏବଂ ବ୍ୟବସ୍ଥା ସମ୍ପର୍କରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲା କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲାପାଳ କୋଭିଡ୍‌ ଟିକା ଆସିବା ପରେ ତାହାକୁ ରଖିବା ନିମନ୍ତେ ପ୍ରସ୍ତୁତ କରାଯାଇଥିବା ୭୮ଟି କୋଲ୍ଡ ଚେନ୍‌ ପଏଣ୍ଟରେ ଯେପରି ସୁରକ୍ଷିତ ରଖାଯିବ ଏବଂ ଟିକା ପ୍ରଦାନରେ ସମସ୍ତ ପ୍ରକାର ଆଶୁ ବ୍ୟବସ୍ଥା କଡ଼ାକଡ଼ି ପାଳନ କରିବା ଦିଗରେ ଗୁରୁତ୍ୱ ଦେବା ପାଇଁ ଜଣାଇଥିଲେ। ସମସ୍ତ ସେଣ୍ଟରର ଅପେକ୍ଷା ଗୃହ ଆବଶ୍ୟକୀୟ ସରଞ୍ଜାମ, ବିଶ୍ରାମ ସ୍ଥଳ, ୬ ମିଟର ଦୂରତାରେ ବସିବା ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟଗୁଡ଼ିକ ଠିକ୍‌ ଭାବେ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାର ୧୪୨ଟି ସରକାରୀ ଚିକିତ୍ସାଳୟ ଏବଂ ୧୦୫ଟି ବେସରକାରୀ ଚିକିତ୍ସାଳୟଗୁଡ଼ିକର ସେବା ଯୋଗାଇ ଦେଇ ଆସୁଥିବା ୨୫,୧୦୬ ଜଣ ହେଲ୍‌ଥ କେୟାର୍‌ ଓ୍ବାର୍କରଙ୍କୁ ଏହି ଟିକା ପ୍ରଦାନ କରାଯିବ। ୧୧ଟି ସେଣ୍ଟର ମଧ୍ୟରେ ବ୍ରହ୍ମପୁରସ୍ଥିତ ସିଟି ହସ୍ପିଟାଲ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ଖ୍ରୀଷ୍ଟିୟାନ ହସ୍ପିଟାଲ ଏବଂ ଆସିକା ଅପର ପ୍ରାଇମେରୀ ହେଲ୍‌ଥ ସେଣ୍ଟର, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ, ଆସିକା ଉପଖଣ୍ଡ ଚିକିତ୍ସାଳୟ, କମ୍ୟୁନିଟି ହେଲ୍‌ଥ ସେଣ୍ଟର ସୁମଣ୍ଡଳ, ଚିକିଟି, ଧରାକୋଟ ଏବଂ ବେଲଗାଁରେ ପ୍ରଦାନ କରାଯିବ। ପ୍ରତି ସେଣ୍ଟରରେ ପ୍ରଥମେ ୧୦୦ ଜଣ ଲେଖାଏ ହେଲ୍‌ଥ କେୟାର୍‌ ଓ୍ବାର୍କର ଏହିଭଳି ୧୧୦୦ ଟିକା ପ୍ରଥମ ଦିନରେ ପ୍ରଦାନ କରାଯିବ।